କନକ ବ୍ୟୁରୋ: ଦିନ କେଇଟା ପରେ ମହାକୁମ୍ଭ ମେଳା । ମେଳା ଲାଗି ଏବେଠୁ ପ୍ରୟାଗରାଜରେ ବଢିଲାଣି ଭିଡ଼ । ପୁରା ଦେଶରୁ ନାଗା ସାଧୁ, ସନ୍ୟାସୀମାନେ ଆସି ଏବେଠୁ ଭିଡ଼ ଜମାଇଲେଣି । ସାଧାରଣତଃ ନାଗାସାଧୁଙ୍କୁ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମେ । ଆଉ ସେମାନଙ୍କର ନିଜସ୍ବ ଶୈଳୀ ଅର୍ଥାତ୍‌ ବସ୍ତ୍ର, ରୁଦ୍ରାକ୍ଷ ଆଦିକୁ ନେଇ ଆଲୋଚନା ବି ହୁଏ । ହେଲେ ଆପଣ ଜାଣିଛନ୍ତି କି ବାବା ହେବାକୁ ହେଲେ କେତେ କଷ୍ଟ କରିବାକୁ ପଡ଼େ । ଜଣେ ସାଧାରଣ ମଣିଷ କେମିତି ସନ୍ୟାସୀ ହୁଅନ୍ତି । 

Advertisment

ପ୍ରୟାଗରାଜରେ ଏବେ ସାଧୁ, ସନ୍ଥଙ୍କ ଲାଗିଲାଣି ଭିଡ଼ । କିଏ ରୁଦ୍ରାକ୍ଷ ପିନ୍ଧିଛନ୍ତି ତ ଆଉ କିଏ ନିବସ୍ତ୍ର ହୋଇ ଧ୍ୟାନ କରୁଛନ୍ତି । ଏହାରି ଭିତରେ ଜଣେ ବାବା ସାମ୍ନାକୁ ଆସିଛନ୍ତି ଯାହାଙ୍କୁ ନେଇ ଚର୍ଚ୍ଚା ଚାଲିଛି । କାରଣ ସେ ପାଖାପାଖି ୩୫ କିଲୋରୁ ଅଧିକ ରୁଦ୍ରାକ୍ଷ ଧାରଣ କରିଛନ୍ତି । ଆଉ ସେ କେମିତି ନାଗା ସାଧୁ ହେଲେ କହିବା ପରେ ସମସ୍ତଙ୍କୁ ଚକିତ କରାଯାଇଛି । ସାଧୁ ଦିଗମ୍ୱର ବିଜୟ ପୁରୀ କହିଛନ୍ତି, ସାଧୁ ହେବାକୁ ହେଲେ ଅନେକ ଗୁପ୍ତ ଓ କଠିନ ପ୍ରକ୍ରିୟା ରହିଛି । ରାତିର ଅନ୍ଧକାରରେ ଯେବେ ପୁରା ସହର ଶୋଇପଡ଼େ, ସେଇ ସମୟରେ ହିଁ ଆରମ୍ଭ ହୁଏ ନାଗା ସାଧୁଙ୍କ ଧ୍ୟାନ । ଧ୍ୟାନର ଅନେକ ନୀତି ସଂପନ୍ନ ହେବା ପରେ ରାତି ୨ଟା କିମ୍ୱା ୨.୩୦ ମଧ୍ୟରେ ଆରମ୍ଭ ହୁଏ ଧ୍ୟାନ । ଏହା ପାଖାପାଖି ୪୮ ଘଂଟା ପର୍ଯ୍ୟନ୍ତ ଚାଲେ । ଏହି ସମୟରେ ବାହାର ଦୁନିଆ ସହ ସେମାନଙ୍କର କୌଣସି ସମ୍ପର୍କ ନଥାଏ । ଏମିତିକି କାହା ସହ ସେମାନେ କଥା ବି ହୁଅନ୍ତି ନାହିଁ । 

ସାଧୁଙ୍କ କହିବା ଅନୁସାରେ, ଧ୍ୟାନର କରିବାର ମୁଖ୍ୟ ଉଦ୍ଦେଶ୍ୟ ମୋହ, ମାୟା, କାମ ଓ ବାସନାରୁ ଦୂରେଇ ରହିବା । ଧ୍ୟାନ ସମୟରେ ସାଧୁମାନେ ଚେରମୂଳିର ବ୍ୟବହାର କରନ୍ତି । ଯାହା ଶରୀର ଲାଗି ହିତକର । ପ୍ରଥମେ ଯେବେ ନୂଆନୂଆ ସେମାନେ ଧ୍ୟାନ ଆରମ୍ଭ କରନ୍ତି ସେବେ ଶରୀର ମଧ୍ୟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ । ହେଲେ ସମୟକ୍ରମେ ଏହା କମେ । ସାଧୁ ଏହା ମଧ୍ୟ କହିଛନ୍ତି, ଆମ ପାଇଁ ଭସ୍ମ ହିଁ ବସ୍ତ୍ର । ପୂରା ପରମ୍ପରା ଅନୁସାରେ, ସାଧୁମାନେ ଜୀବନଯାପନ କରନ୍ତି । ନାଗାସାଧୁମାନେ ବସ୍ତ୍ର ପିନ୍ଧିବାର ପରମ୍ପରା ନାହିଁ ବୋଲି ସେ କହିଛନ୍ତି । ଖାଲି ଏତିକି ନୁହେଁ ଶରୀରରେ ୩୫ କିଲୋ ରୁଦ୍ରାକ୍ଷ ଧାରଣ କରିବାର କାରଣ ଆସ୍ଥାର ପ୍ରତୀକ ବୋଲ ସେ କହିଛନ୍ତି । 

ମନ ଶାନ୍ତ ରହିଲେ ସବୁ ଶାନ୍ତ ରହିବ । କାରଣ ଅନେକ ସମୟରେ ମନ ବିଚଳିତ ରହେ । କିନ୍ତୁ ଯେଉଁମାନେ ନିଜ ମନକୁ ଆୟତ୍ତ କରିପାରନ୍ତି ସେମାନେ ଜଶ ପାଆନ୍ତି ବୋଲି ସାଧୁ କହିଛନ୍ତି । ନାଗା ସାଧୁଙ୍କ ଜୀବନ ଅର୍ଥ ଜନ୍ମ-ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇବା । ଏହାସହ ୪୮ ଘଂଟା ଧ୍ୟାନ କରିବା ପରେ ଜୀବନରେ ଅନେକ ପରିବର୍ତ୍ତନ ଆସେ । ଯେଉଁମାନେ ଶାନ୍ତି ଚାହୁଁଛନ୍ତି ସେମାନେ ଧ୍ୟାନ କରିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି ।

ମହାକୁମ୍ଭରେ ସାଧୁ ହିଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟନ୍ତି । ସେମାନଙ୍କର ବେଶଭୂସା, ଧ୍ୟାନର ଶୈଳୀ ଏବଂ ପ୍ରବଚଡନ ଦର୍ଶକଙ୍କୁ ଟାଣିନେଇଥାଏ ସେମାନଙ୍କ ପାଖକୁ । ଗୁରୁତ୍ବପୂର୍ଣ୍ଣ କଥା ହେଲା, ସାଧୁମାନେ ବିଶ୍ବର ମଙ୍ଗଳ ଲାଗି ବାରମ୍ୱାର ଧ୍ୟାନରେ ବସନ୍ତି । ସେମାନଙ୍କର ଜୀବନର ଗୋଟିଏ ଲକ୍ଷ ଥାଏ କେମିତି ସଂସାରର ମଙ୍ଗଳ ହେବ । ତେବେ ପ୍ରୟାଗରାଜରେ କୁମ୍ଭମେଳା ଆରମ୍ଭ ହେବା ପୂର୍ବରୁ ଏବେଠୁ ସାଧୁସନ୍ଥଙ୍କ ଉପସ୍ଥିତ ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଆହୁରି ସାଧୁଙ୍କ ଆଗମନ ହେବ ବୋଲି କୁହାଯାଉଛି ।