କନକ ବ୍ୟୁରୋ : ନିଜ ଷ୍ଟାଇଲ, ଟାଟୁ ଓ ଷ୍ଟ୍ରୋକ୍ ପାଇଁ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ବ୍ୟାଟିଂ କଲା ବେଳେ ବିପକ୍ଷ ଦଳର ବୋଲରଙ୍କୁ ନିର୍ଘାତ ପ୍ରହାର କରିବାରେ ସେ ଯେମିତି ସିଦ୍ଧହସ୍ତ, ପଡ଼ିଆ ବାହାରେ ଓ ଭିତରେ ବି ନିଜର ମଜାକିଆ ଅନ୍ଦାଜ ପାଇଁ ଅନ୍ୟମାନଙ୍କ ପ୍ରିୟପାତ୍ର। ସେ ହେଉଛନ୍ତି ଶିଖର ଧୱନ ଓରଫ ଗବର। ଅନ୍ତର୍ଜାତୀୟ କ୍ରିକେଟରୁ ନିଜ ସନ୍ନ୍ୟାସ ଘୋଷଣା ବେଳେ ବି ନିଜ ଶୈଳୀରେ ସେ ଏହା ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ନିଜର ଅବସର କଥା ଘୋଷଣା କରିଛନ୍ତି।  ଦେଶପାଇଁ ଖେଳିବାର ସୁଯୋଗ ପାଇଥିବାରୁ ନିଜକୁ ଗର୍ବିତ ଅନୁଭବ କରନ୍ତି। ତାଙ୍କର କ୍ରୀଡ଼ାଯାତ୍ରାରେ ଅବଦାନ ରଖିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ଭାରତ ପକ୍ଷରୁ ୩ଟି ଯାକ ଫର୍ମାଟରେ ଖେଳିଛନ୍ତି ଶିଖର। ଭାରତ ପକ୍ଷରୁ ୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଓ ୬୮ଟି ଟି-୨୦ ଖେଳିଛନ୍ତି ଶିଖର। ଜଣେ ଆକ୍ରମଣାତ୍ମକ ବ୍ୟାଟର ଭାବେ ସେ ଭାରତୀୟ କ୍ରିକେଟ ଫ୍ୟାନଙ୍କ ବେଶ୍ ପସନ୍ଦ ରହିଆସିଛନ୍ତି। ବିଶେଷକରି ରୋହିତ ଶର୍ମାଙ୍କ ସହ ତାଙ୍କ ଓପନିଂ ଯୋଡ଼ି ଭାରତକୁ ବେଶ୍ ଭଲ ଷ୍ଟାର୍ଟ ଦେଉଥିଲା। ଉଭୟ ବେଶ୍ ସ୍ମରଣୀୟ ଇନିଙ୍ଗସ୍ ଖେଳିଛନ୍ତି। ୨୦୧୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ପ୍ରଥମ ମ୍ୟାଚ୍ ଖେଳିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ଧୱନ ୧୦ ହଜାରରୁ ଅଧିକ ରନ୍ କରିଥିବା ବେଳେ ଦିନିକିଆରେ ୧୭ଟି ଶତକ ଓ ଟେଷ୍ଟରେ ୭ଟି ଶତକ ହାସଲ କରିଛନ୍ତି। ୨୦୧୩ରେ ଧୋନୀଙ୍କ ନେତୃତ୍ବରେ ଭାରତ ଆଇସିସି ଚମ୍ପିଆନ୍ସ ଟ୍ରଫି ଜିତିଥିଲା। ଏହି ଟିମରେ ସାମିଲ ଥିଲେ ଶିଖର ଧୱନ।  

 ଶିଖର ଧୱନଙ୍କ ଅବସର ଘୋଷଣା ପରେ ପୂର୍ବତନ କ୍ରିକେଟ ଖେଳାଳିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବତନ ଭାରତୀୟ ଓପନିଂ ବ୍ୟାଟର ୱାସିମ୍ ଜାଫର ସୋସିଆଲ ମିଡିଆରେ ନିଜ ପୋଷ୍ଟରେ ଧୱନଙ୍କୁ ବଡ଼ ଟୁର୍ଣ୍ଣାମେଂଟର ଖେଳାଳି ବୋଲି କହିଛନ୍ତି।