କନକ ବ୍ୟୁରୋ: ପରାଜୟର ଦ୍ବାରରେ ଥିଲା ଭାରତ । କେହି ଜାଣିନଥିଲେ ବାଜି ଏମିତି ପଲଟିବ । ଆଉ ଇଂଲଣ୍ଡ ମାଟିରେ ଭାରତ ବିଜୟ ବାନା ଉଡ଼ାଇବ । ତେବେ ଏମିତି ଏକ ଅସମ୍ଭବ ମ୍ୟାଚକୁ ସମ୍ଭବରେ ପରିଣତ କରିଥିଲା ଭାରତ । ତାହା ପୁଣି ବୋଲରଙ୍କ ବଳରେ । ମହମ୍ମଦ ସିରାଜ ବୋଲିଂରେ ଧ୍ୱଂସ ହୋଇଯାଇଥିଲା ପୂରା ଇଂଲଣ୍ଡ ଟିମ୍ । ସିରିଜ ଡ୍ର ରହିଗଲା ସତ ହେଲେ ଶେଷ ଟେଷ୍ଟ ଜିତି ସମ୍ମାନ ରକ୍ଷା କରିଦେଲେ ସିରାଜ । ଯେବେ ଯେବେ ଭାରତ ବୁମରାହଙ୍କ ଅନୁପସ୍ଥିତି ଅନୁଭବ କରିଛି ସେବେ ସେବେ ଭାରତ ପାଇଁ ସୁପଷ୍ଟାର ପାଲଟିଛନ୍ତି ସିରାଜ ।
ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତରେ ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସିରାଜ ସର୍ବଦା ମନେ ରଖିବେ । ଏହି ଗସ୍ତ ଏବଂ ସିରାଜଙ୍କ ପ୍ରଦର୍ଶନ କେବଳ ସିରାଜଙ୍କ ନୁହେଁ ବରଂ ଭାରତୀୟ ପ୍ରଶଂସକଙ୍କ ମନରେ ଜୀବନବ୍ୟାପୀ ରହିବ । ସିରାଜ ଏହି ୫ ଟେଷ୍ଟ ମ୍ୟାଚ୍ ସିରିଜରେ ସର୍ବାଧିକ ୨୩ ୱିକେଟ୍ ନେଇଥିଲେ ଏବଂ ବିଶେଷକରି ଓଭାଲ୍ ଟେଷ୍ଟରେ ସେ ଯେଉଁଭଳି ଭାବରେ ଦଳକୁ ବିଜୟୀ କରାଇଥିଲେ ତାହା କେବଳ ଭାରତୀୟ ପ୍ରଶଂସକଙ୍କ ହୃଦୟରେ ନୁହେଁ ବରଂ ପ୍ରତ୍ୟେକ ଦେଶର କ୍ରିକେଟ୍ ପ୍ରଶଂସକଙ୍କ ହୃଦୟରେ ଏକ ଛାପ ଛାଡ଼ିଥିଲା । ସିରାଜ ଓଭାଲ୍ ଟେଷ୍ଟରେ ତାଙ୍କ ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ ।
ପଞ୍ଚମ ଦିନ ଖେଳ ବେଳକୁ ଇଂଲଣ୍ଡକୁ ବିଜୟ ପାଇଁ ଆବଶ୍ୟକ ଥିଲା ୩୫ ରନ୍, ଯାହା କିଛି ବି ଅସମ୍ଭବ ନୁହେଁ । ସହଜରେ ଇଂଲଣ୍ଡ ଏହି ବିଜୟ ଲକ୍ଷ୍ୟକୁ ପୂରଣ କରିପାରିଥଆନ୍ତା । ହେଲେ ଇଂଲଣ୍ଡର ଏହି ସହଜ ଯାତ୍ରାକୁ ଅସହଜ କରିଦେଇଥିଲେ ସିରାଜ । ଗୋଟିଏ ପରେ ଗୋଟିଏ ଓ୍ୱିକେଟ ନେଇ ଇଂଲଣ୍ଡ ହାତରୁ ବିଜୟ ଛଡ଼ାଇ ଆଣିଥିଲେ ସିରାଜ । ଶେଷ ଓଭରରେ ଯେତେବେଳେ ୮ ରନର ଆବଶ୍ୟକତା ଥିଲା ସେତେବେଳେ ବୋଲିଂ ପାଇଁ ଆସିଥିଲେ ସିରାଜ । ଆଉ ଏଣ୍ଟକିନସନଙ୍କୁ କ୍ଲିନ ବୋଲ୍ଡ କରି ଭାରତକୁ ବିଜୟୀ କରାଇଥିଲେ ।
ପୂରା ସିରିଜରେ ୨୩ ୱିକେଟ୍ ସହିତ, ସିରାଜ୍ ଏକ ବଡ଼ ସଫଳତା ମଧ୍ୟ ହାସଲ କରିଛନ୍ତି । ଇଂଲଣ୍ଡରେ ଭାରତ ପାଇଁ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲରଙ୍କ ତାଲିକାରେ ସିରାଜ୍ ଏବେ ବୁମରାହଙ୍କ ସହ ମିଳିତ ଭାବରେ ସାମିଲ ହୋଇଛନ୍ତି । ବୁମରାହ ୨୦୨୧-୨୦୨୨ରେ ୨୩ ୱିକେଟ୍ ନେଇଥିଲେ । ଭୁବନେଶ୍ୱର କୁମାର ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି, ଯିଏ ୨୦୧୪ରେ ୧୯ ୱିକେଟ୍ ନେଇଥିଲେ । ଆଉ ସିରାଜ ଏହି ଇପଲବ୍ଧି ହାସଲ କରି ଭାରତ ପାଇଁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/05/31-2025-08-05-18-45-42.jpg)