କନକ ବ୍ୟୁରୋ:  ଗୁଜୁରାଟର ଅହମ୍ମଦାବାଦ୍ ସହର, ଭିଡ ରାସ୍ତାରେ ଗୋଟେ କାର୍ ଯିବାବେଳେ ସମସ୍ତଙ୍କ ଆଖି ଲାଖିଯାଉଛି , ଆପଣ ଭାବୁଥିବେ, କାରରେ ଏମିତି କ’ଣ ଖାସିୟତ୍ ଅଛି କି ? ଏ କାର୍ ସବୁ  କାର ପରି ହେଲେ ସବୁଠୁ ଅଲଗା । ଟୋୟାଟା କରୋଲା ଅଲ୍ଟିସ୍ କାର୍ ,ଦାମ୍ ପାଖାପାଖି ୨୦ ଲକ୍ଷ ,ହେଲେ କାର୍ ସାରା ବୋଳା ହୋଇଛି ଗୋବର । ଦେଖିବାକୁ ଭାରି ସୁନ୍ଦର ଲାଗୁଛି । ଏବେ ଅହମ୍ମଦାବାଦରେ ସିଜଲଙ୍କ ଗୋବର କାରକୁ ନେଇ ଚର୍ଚ୍ଚା। 

Advertisment

 ପ୍ରକୃତି ପ୍ରେମୀ  ସିଜଲ ଶାହ। , ସ୍ବାମୀ ଜଣେ ହୀରା ବ୍ୟବସାୟୀ । ସିଜଲ ଜଣେ ସୁଗୃହିଣୀ ସହ ଜଣେ ସମାଜସେବୀ । ଖଦୀର ପ୍ରଚାର ପ୍ରସାର ଦିଗରେ ମଧ୍ୟ ତାଙ୍କର ଅବଦାନ ରହିଛି।  ଆଜିକା ମଡର୍ଣ୍ଣ ଲାଇଫଷ୍ଟାଇଲ ଭିତରେ ବଳି ପଡିଯାଉଥିବା ପ୍ରକୃତିର ସୁରକ୍ଷା କଥା ତାଙ୍କୁ ସବୁବେଳେ ଘାରୁଛି । ସ୍ବାମୀଙ୍କ ସହ ଚାଲିଆସିଲେ ଅହମ୍ମଦାବାଦର ପୈତୃକ ଘରକୁ । ଆଉ ପ୍ରକୃତିର ସୂରକ୍ଷା ପାଇଁ ଆରମ୍ଭ କରିଛନ୍ତି ଭିନ୍ନ ଏକ ଅଭିଯାନ । 

ଘରଠାରୁ ଆରମ୍ଭ ତାଙ୍କର ପ୍ରୟାସ ଏବେ ରାସ୍ତା ଉପରେ ଜଳ ଜଳ ହୋଇ ଦିଶୁଛି । ତାଙ୍କ ଦାମୀ ଟୋୟାଟା କାରୋର ବୋଳା ହୋଇଛି ଗୋବର । ଗାଁର ଦୁଇ ମହିଳା ସିଜଲଙ୍କ ଏହି କାରକୁ ଗୋବରରେ ଲେପିବା ପରେ ସେଥିରେ ସୁନ୍ଦର ଝୋଟି କରିଛନ୍ତି । କାରଣ କ’ଣ ଜାଣନ୍ତି? ଅହମ୍ମଦାବାଦରେ ଏବେଠୁ ତାପାମାତ୍ରା ୪୫ ଡିଗ୍ରୀ ପାଖାପାଖି ହେଲାଣି। ହେଲେ ସିଜଲଙ୍କର ଚିନ୍ତା ନାହିଁ । ତାଙ୍କ ଘରର କାନ୍ଥରେ ବି ଗୋବର ଲିପା ହୋଇଛି । ତେଣୁ ଅର୍ଥ ଥାଇ ବି ଘରେ ଏସି ଲଗାଇନାହାନ୍ତି କିନ୍ତୁ କୁଲର ଭଳି ଥଣ୍ଡା ଅନୁଭବ କରୁଛନ୍ତି । ବାହାରକୁ ବାହାରିଲେ ବି ସିଜଲଙ୍କ ଡର ନାହିଁ । କାରଣ ତାଙ୍କର ଗୋବର କାର୍ ଭିତରେ ବି ବେଶ୍ ଥଣ୍ଡା ଅୁନଭବ କରୁଛନ୍ତି। 

ଖାଲି ଏତିକି ନୁହେଁ ସିଜଲ ନିଜ ଘରେ ପ୍ଲାଷ୍ଟିକ୍ ଆସବାବ ବଦଳରେ ଇକୋ ଫ୍ରେଣ୍ଡଲି ସାମଗ୍ରୀ ବ୍ୟବହାର କରନ୍ତି । ମାଟି ଓ କଂସା ପିତଳର ବାସନ କୁସନ ବ୍ୟବହାର କରନ୍ତି । ତାଙ୍କ ଘରେ ରହିଛି ଏକ ସ୍ବତନ୍ତ୍ର ରୋଷେଇ ଘର। ଯେଉଁଠି ଗ୍ୟାସ ନୁହେଁ ବରଂ ରହିଛି ସ୍ମୋକଲେସ୍ କାଠ ଚୁଲି, ଏଠି ରୋଷେଇ କରିବାରେ ସିଜଲ ଭାରି ଖୁସି ଅନୁଭବ କରନ୍ତି । ସହରୀ ମଣିଷଙ୍କୁ ପ୍ରକୃତିର ସୁରକ୍ଷା ଦେବାକୁ ସିଜଲଙ୍କ ଏ ପୟାସକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

ଆପଣଙ୍କର ହୁଏତ ମନେଥିବ ୨ବର୍ଷ ତଳେ ଖବର ସାଉଁଟିଥିଲା ଏଭଳି ଏକ କାହାଣୀ ଯେଉଁଥିରେ ଜଣେ ଡାକ୍ତର ନିଜ ଝିଅର ବାହାଘରରେ ଉଦାହରଣ ସୃଷ୍ଟି କରଇଥିଲେ । ଝିଅକୁ ଗୋବର ଲିପା କାରରେ ଶାଶୂଘରକୁ ପଠାଇଥିଲେ । ତାଙ୍କର ଉଦ୍ଦେଶ୍ୟ ଥିଲା, ଗୋବରର ଉପକାର ବିଷୟରେ ଲୋକଙ୍କୁ ଜଣାଇବା । ଡାକ୍ତରଙ୍କ କହିବା କଥା ଥିଲା , ଗୋବରରେ ମୋବାଇଲରୁ ନିର୍ଗତ ରେଡିଏସନକୁ ରୋକିବା କ୍ଷମତା ରହିଛି। , ଏଥିରେ କ୍ୟାନସର ପ୍ରତିହାରତ ଶକ୍ତି ମଧ୍ୟ ରହିଛି। ଗୋବର ବାହାରର ତାପାମାତ୍ରାକୁ ନିୟନ୍ତ୍ରଣରେ ରଖେ। ଏହା ଏକ ନ୍ୟାଚୁରାଲ ଏସି ଭଳି କାମ କରେ। ତେଣୁ ସେ ଝିଅର  କାରକୁ ଗୋବରରେ ଲିପି ସଜେଇ ଶାଶୂଘରକୁ ପଠାଇଥିଲେ । ଏ ଖବର ଶୁଣିବା ଆଉ ଦେଖିବା ପରେ ଆପଣ ବି ପ୍ରକୃତି କୋଳକୁ ଫେରଯିବାକୁ ଥରେ ଚିନ୍ତା କରିବେ ।