କନକ ବ୍ୟୁରୋ : ଉତ୍ତର ବାଲେଶ୍ୱରର ଦ୍ବିତୀୟ ପୁରାତନ ମହାବିଦ୍ୟାଳୟ ଭାବେ ପରିଚିତ ଅମର୍ଦାରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟ । ବାବା ସିଦ୍ଧେଶ୍ୱରଙ୍କ ନାଁରେ ନାମିତ ଏହି ମହାବିଦ୍ୟାଳୟର ଶୃଙ୍ଖଳିତ ବାତାବରଣ ସାଙ୍ଗକୁ ସୁନ୍ଦର ପରିବେଶ ଦିନେ ଛାତ୍ରଛାତ୍ରୀଙ୍କୁ ବେଶ ଆକୃଷ୍ଟ କରୁଥିଲା । ପାଠପଢା ପାଇଁ ଗୌରବ ଅର୍ଜନ କରିଥିଲା । ଏବେ ଏହି କଲେଜର ତାର ଅସ୍ତିତ୍ୱ ହରାଇ ବସିଛି । ଆଗଭଳି ଆଉ ସୁନ୍ଦର ପରିବେଶ ନାହିଁ । ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି କଲେଜ କ୍ୟାମ୍ପସ । କେଉଁଠି ବର୍ଷ ବର୍ଷ ଧରି ଆବର୍ଜନା ପାଣି ଜମି ରହିଛି ତ କେଉଁଠି କୁଢ କୁଢ ଅଳିଆ ଗଦା ହୋଇ ରହିଛି । ପାଣି ନିସ୍କାସନ ବ୍ୟବସ୍ଥା ନଥିବାରୁ ଖେଳ ପଡ଼ିଆରେ ଜମିଛି ଟଏଲେଟ ପାଣି । ରକ୍ଷଣାବେକ୍ଷଣ ଅଭାବରୁ ଜଙ୍ଗଲରେ ପରିଣତ ହେଲାଣି ଖେଳ ପଡ଼ିଆ । କଲେଜ ପରିସରରେ ଥିବା ବଟାନିକାଲ ଗାର୍ଡେନରେ ନାହିଁ ଔଷଧୀୟ ବୃକ୍ଷ । 

Advertisment

କଲେଜର ଭିତ୍ତିଭୁମି ବିକାଶ ପାଇଁ ପୂର୍ବତନ ମନ୍ତ୍ରୀ ତଥା ଜଳେଶ୍ୱର ବିଧାୟକ ଅଶ୍ୱୀନୀ କୁମାର ପାତ୍ର ଫାଇଭ-ଟି ଯୋଜନାରେ ୨ କୋଟି ଟଙ୍କା ମଞ୍ଜୁର କରିଥିଲେ । ମାତ୍ର ବିଭାଗୀୟ ଅଧିକାରୀ, କଲେଜ କର୍ତ୍ତୁପକ୍ଷ ଏବଂ ଠିକାଦାରଙ୍କ ତାଳମେଳ ରହୁ ନଥିବାରୁ କାମ ସମ୍ପୂଣ୍ଣ ହୋଇପାରିନି । ଅଧପାନ୍ତରିଆ ଭାବେ ପଡ଼ିଛି ଶୌଚାଳୟ । ପିଇବା ପାଣିର ବ୍ୟବସ୍ଥା ନାହିଁ । ଶ୍ରେଣୀଗୃହ ଛାତରୁ ସିମେଂଟ ଖସୁଛି । ବିପଦସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ବିଭିନ୍ନ ସମସ୍ୟାକୁ ନେଇ ଛାତ୍ର ଅଶାନ୍ତି ଦେଖା ଦେଉଛି। ଗତକାଲି ଛାତ୍ର ଛାତ୍ରୀ ମାନେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ । 

ଆଗକୁ ସମସ୍ୟାର ସମାଧାନ ନହେଲେ ବିରାଟ ଛାତ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।