କନକ ବ୍ୟୁରୋ: ମହୀଶୁର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡ଼ୁଆ ବଢ଼ିଛି । ଘଟଣାର ସିବିଆଇ ତଦନ୍ତ ପାଇଁ ବିଜେପି ଦାବି କରୁଥିବା ବେଳେ ରାଜ୍ୟରେ ସିବିଆର ପ୍ରବେଶ ଉପରେ କଟକଣା ଲଗାଇଛନ୍ତି କର୍ଣ୍ଣାଟକ ସରକାର। ରାଜ୍ୟରେ ସିବିଆଇର ଅନାୟସ ପ୍ରବେଶ ଓ ତଦନ୍ତ ଉପରେ କଟକଣା ଜାରି କରିଛନ୍ତି କର୍ଣ୍ଣାଟକା ସରକାର । ଏଣିକି କୌଣସି ସରକାରୀ କାମରେ ସିବିଆଇ ଅଧିକାରୀ ଯଦି କର୍ଣ୍ଣାଟକା ସୀମାରେ ପ୍ରବେଶ କରନ୍ତି, ତା’ହେଲେ ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ସିବିଆଇ ପ୍ରବେଶ ନେଇ ରହିଥିବା ସହମତି ପ୍ରଦାନ ବ୍ୟବସ୍ଥାକୁ ଆଜି କର୍ଣ୍ଣାଟକ ସରକାର ପ୍ରତ୍ୟାହାର କରି ନେଇଥିବା ଆଇନ ମନ୍ତ୍ରୀ ଏଚକେ ପାଟିଲ ସୂଚନା ଦେଇଛନ୍ତି । ସିବିଆଇ ପକ୍ଷପାତିତା କରୁଥିବା ଅଭିଯୋଗରେ ସିବିଆଇ ତଦନ୍ତ ପାଇଁ ଥିବା ଖୋଲା ସହମତିକୁ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ସିଦ୍ଦର‌ମୈୟାଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତ ପାଇଁ ବେଙ୍ଗାଲୁରୁରେ ଏକ ସ୍ବତନ୍ତ୍ର କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ଶେଷ କରି ମାମଲାର ରିପୋର୍ଟ ୩ ମାସ ମଧ୍ୟରେ କୋର୍ଟରେ ଦାଖଲ କରିବାପାଇଁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି ।  ଏହି ଘଟଣାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀ ସିଦ୍ଦର‌ମୈୟାଙ୍କ ଇସ୍ତଫଦା ଦାବି କରିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ । ମୁଦା ଦୁର୍ନୀତି ମାମଲାରେ ସିଦ୍ଦର‌ମୈୟାଙ୍କ ଆବେଦନ ଗତକାଲି କର୍ଣ୍ଣାଟକ ହାଇକୋର୍ଟରେ ଖାରଜ ହୋଇଯିବାପରେ ଆଜି ତାଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି  ।