କନକ ବ୍ୟୁରୋ: ଉତ୍ସବମୁଖର ସମ୍ବଲପୁର । ସରିଛି ପତରପେଣ୍ଡି ବା ନିର୍ବନ୍ଧ ଉତ୍ସବ । ଆସନ୍ତାକାଲି ଶିବବିବାହ । ହନୁମାନ କରୁଛନ୍ତି ଦେବ ନିମନ୍ତ୍ରଣ । ବିଭିନ୍ନ ପଡ଼ାର କନ୍ୟା ପିତାମାତାଙ୍କ ନିକଟରେ ମଉଳା ଭାର ପହଞ୍ଚୁଛି । ସମ୍ବଲପୁର ଭଳି ଦେଶର ବିଭିନ୍ନ ସ୍ଥାନ ସମେତ ଓଡ଼ିଶାରେ କେବଳ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରକୁ ଛାଡ଼ି ଆସନ୍ତାକାଲି ସବୁଠି ଶିବବିବାହ ପାଳନ ହେବ । କିନ୍ତୁ ଲିଙ୍ଗରାଜ ମନ୍ଦିରରେ ଆଜି ପାଳନ ହେଉଛି ଶିବବିବାହ । ଏଥିପାଇଁ ଜନସାଧାରଣ ଓ ଭକ୍ତମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି ।  

Advertisment

ଶିବବିବାହ ପାଇଁ କେଉଁ ତିଥି ଠିକ୍ ? ପରମ୍ପରା ଅନୁସାରେ ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀରେ ଶିବବିବାହ ପାଳନ ହୁଏ । କେବଳ ଅସଲି ଖଡ଼ିରତ୍ନ ପଞ୍ଜିକାକୁ ଛାଡ଼ିଦେଲେ ପୁରୀ ମୁକ୍ତିମଣ୍ଡପ ପଣ୍ଡିତସଭା ଦ୍ବାରା ଅନୁମୋଦିତ ପାଞ୍ଜି ସମେତ ସବୁ ପାଞ୍ଜିରେ ମେ’ ୩୧ ଶନିବାର, ଶିବ ବିବାହ ଓ ଜୁନ୍ ପହିଲାରେ ଶୀତଳ ଷଷ୍ଠୀ ଦିଆଯାଇଛି । କିନ୍ତୁ ଅସଲି ଖଡ଼ିରତ୍ନ ପଞ୍ଜିକା ଅନୁସାରେ ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମନ୍ଦିରରେ ମେ’ ୩୦ ତାରିଖ ଶୁକ୍ରବାର ଶିବବିବାହ ପାଳନ କରାଯାଉଛି ।  ବିବାହ ପାଇଁ ଉଭୟ ପଞ୍ଚମୀ ଓ ଷଷ୍ଠୀ ତିଥି ଶୁଭ । ତେଣୁ ଶିବବିବାହର ପ୍ରାରମ୍ଭିକ କାର୍ଯ୍ୟ ପଞ୍ଚମୀରୁ ଆରମ୍ଭ ହୋଇ ଷଷ୍ଠୀରେ ବି ଚାଲିପାରିବ । ଏହା ହିଁ ପ୍ରଚଳିତ ନୀତି ଓ ପରମ୍ପରା । ଏହାପରେ ଆରମ୍ଭ ହେବ ଶୀତଳ ଷଷ୍ଠୀ ଯାତ୍ରା ।