କନକବ୍ୟୁରୋ : ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବିହାରରୁ ଜଣେ ଅଭିଯୁକ୍ତକୁ ଉଠାଇ ଆଣି ଭୁବନେଶ୍ବରରେ ଜେରା କରୁଛି। ଭୁବନେଶ୍ବରର ସିବିଆଇ କାର୍ଯ୍ୟାଳୟରେ ନୀତୀଶ କୁମାରକୁ ଝାଳବୁହା ଜେରା ଚାଲିଛି । ବଛାବଛା ଅଧିକାରୀ ତାକୁ ଜେରା କରୁଛନ୍ତି । ସେ ପ୍ରାୟ ୬୦୦ ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ ଦେଇଥିଲା ବୋଲି ଜଣାଯିବା ପରେ ସିବିଆଇ ନୀତୀଶ କୁମାରକୁ ଧରିଥିଲା । ନୀତୀଶ ଘଟଣାର ମାଷ୍ଟର ମାଇଣ୍ଡ ବିରଞ୍ଚି ନାୟକର ଅନ୍ୟତମ ସହଯୋଗୀ ।
ଇତିମଧ୍ୟରେ ସିବିଆଇ ଅଧିକାରୀମାନେ ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍ ଜେରା କରିଛନ୍ତି ।
ଅଧିକ ପଢନ୍ତୁ... ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବଡ଼ ବୈଠକ : ନୂଆ ଟିମ୍ ସହ ବି ଏଲ ସନ୍ତୋଷଙ୍କ ରୁଦ୍ଧଦ୍ୱାର ମିଟିଂ
ସିବିଆଇର ଅଧିକାରୀମାନେ ସେମାନଙ୍କୁ ମୁହାଁମୁହିଁ ଜେରା କରିଥିଲେ। ରୢାକେଟ୍ ସମ୍ପର୍କରେ ସିବିଆଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି । ୮ ଘଣ୍ଟା ଜେରା ପରେ ସିବିଆଇ ସେମାନଙ୍କୁ ଛାଡ଼ିଥିଲା । ତେବେ ସିବିଆଇ ପକ୍ଷରୁ ୧୦ ଜଣଙ୍କୁ ସମନ କରାଯାଇଥିବା ବେଳେ ଆଜି ୪ ଜଣ ହାଜର ହୋଇଥିଲେ । ପରେ ଅନ୍ୟମାନେ ସିବିଆଇରେ ହାଜର ହୋଇଥିଲେ ।
ସୂଚନାଅନୁଯାୟୀ , ପୁଲିସ ଏସ୍ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍ ଏହାକୁ ସବ୍ଲେଟ୍ରେ ବ୍ରହ୍ମପୁରର ପଞ୍ଚସଫ୍ଟକୁ ଦେଇଥିଲା। ସେଣ୍ଟର ତଦାରଖଠାରୁ ଆରମ୍ଭ କରି ପରୀକ୍ଷା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ପଞ୍ଚସଫ୍ଟକୁ ମିଳିଥିଲା ।
ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି କେଳେଙ୍କାରୀ ଯୋଜନା କରିଥିଲେ । ଏହି ଅପରାଧ ସିଣ୍ଡିକେଟ୍ରେ ଦକ୍ଷିଣ ଓଡ଼ିଶାକୁ ମୁନା ମହାନ୍ତି ଓ ଉତ୍ତର ଓଡ଼ିଶାକୁ ଅରବିନ୍ଦ ଦାସ ସମ୍ଭାଳୁଥିଲା । ଏମାନଙ୍କ ଅଧୀନରେ ୧୦ ଜଣ ଲେଖାଏଁ ଏଜେଣ୍ଟ ଥିଲେ। ସେମାନେ ଆଶାୟୀ ପ୍ରାର୍ଥୀଙ୍କୁ ଯୋଗାଡ଼ କରୁଥିଲେ । ଆଶାୟୀଙ୍କ ଠାରୁ ମୁନା ଆଗୁଆ ମୂଳ ପ୍ରମାଣପତ୍ର ହାତେଇବା ସହ ଶଙ୍କର ସହ ଯୋଗାଯୋଗ କରି ଏହାକୁ ସେ ହାଇଦ୍ରାବାଦ ସଂସ୍ଥା ପାଖକୁ ପଠାଉଥିଲା ।
ମୁନା ୧୧୪ ଜଣ ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ପରେ ସେମାନଙ୍କୁ ହାଇଦ୍ରାବାଦର ଏକ ସଂସ୍ଥାରେ ପ୍ରଶ୍ନପତ୍ର ସମ୍ପର୍କରେ ତାଲିମ ଦେଇଥାନ୍ତା । ଯୋଜନା ମୁତାବକ ଆଶାୟୀମାନେ ପ୍ରଥମେ ଭୁବନେଶ୍ବରର ବିଭିନ୍ନ ହୋଟେଲରେ ରହିଥିଲେ । ଅକ୍ଟୋବର ୨୯ ତାରିଖରେ ଖଣ୍ଡଗିରିରୁ ୧୧୪ ଆଶାୟୀଙ୍କୁ ବସ୍ରେ ବିଜୟନଗରମ୍କୁ ନିଆଯାଇଥିଲା। ଗତ ଅକ୍ଟୋବର ୩୦ ତାରିଖରେ ବ୍ରହ୍ମପୁର ପୁଲିସ ଏହି ବସ୍ଗୁଡ଼ିକୁ ଜବତ କରିବା ସହ ୧୧୪ ଆଶାୟୀ ଓ ୩ ଦଲାଲଙ୍କୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଥିଲା। ଏହା ପରେ ଆହୁରି ୧୧୦ ଆଶାୟୀ ପ୍ରାର୍ଥୀ ଫେରାର ହୋଇ ଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/10/cbi-2025-12-10-12-11-21.png)