କନକ ବ୍ୟୁରୋ : ପୁଲିସ୍‌ ଏସ୍ଆଇ ପରୀକ୍ଷାରେ କେଳେଙ୍କାରୀ ଘଟଣାକୁ ନେଇା ସାରା ରାଜ୍ୟରେ ଚର୍ଚ୍ଚା । ଚାକିରି ପାଇଁ ବଡ଼ ଧରଣର କେଳେଙ୍କାରୀ ଉପରୁ ପର୍ଦ୍ଦା ଉଠାଇଛି କ୍ରାଇମ୍‌ବ୍ରାଞ୍ଚ । ଘଟଣାରେ ୧୧୭ ଜଣ ଗିରଫଦାରି ହୋଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୧୧୪ ଜଣ ପରୀକ୍ଷାର୍ଥୀ ରହିଥିବାବେଳେ ୩ ଜଣ ଦଲାଲ ରହିଛନ୍ତି । ତେବେ କେଳେଙ୍କାରୀରେ ଆହୁରି ଦଲାଲଙ୍କ ସମ୍ପୃକ୍ତି ଥିବା କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ବଡ଼ କଥା ହେଉଛି ଏସ୍‌ଆଇ ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ ହୋଇଥିଲା କୋଟି କୋଟି ଟଙ୍କାର ଡିଲ୍ । ପ୍ରତି ପରୀକ୍ଷାର୍ଥୀ ପିଛା ୨୫ ଲକ୍ଷର ଡିଲ୍ ହୋଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତରେ ସାଂଘାତିକ ସତ ଏବେ ସାମ୍ନାକୁ ଆସିଛି ।  

Advertisment

ଏହି ଘଟଣାରେ ସରିଛି ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା । ସ୍ବତନ୍ତ୍ର ଆମ୍ବୁଲାନ୍ସରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । କିଛି ଅଭିଯୁକ୍ତଙ୍କର ବ୍ରହ୍ମପୁର ରିଜର୍ଭ ପୁଲିସ ବାରାକରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ କିଛି ଜଣଙ୍କୁ ବାହାରେ ପରୀକ୍ଷା କରାଯାଇଛି । ଆଉ କିଛି ସମୟ ପରେ ସେମାନେ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର ହେବେ। ସେପଟେ ଜେରା ବେଳେ ୫ ଜଣ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୂରା ଘଟଣାରେ ୧୦ରୁ ୧୨ ଜଣ କାର୍ପଟଦାର ଥିବା ସୂଚନା ମିଳିଛି । ଏମାନେ ଟେଲିଗ୍ରାମ ଜରିଆରେ ପୂରା ନେଟୱର୍କ ଚଳାଇଥିଲେ ।