କନକ ବ୍ୟୁରୋ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲର୍ଡସ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନ ନାଟକୀୟ ଢଙ୍ଗରେ ଶେଷ ହୋଇଥିଲା । ଦିନର ଖେଳ ଶେଷ ହେବା ପୂର୍ବରୁ ସମୟ ନଷ୍ଟ କରିବା ପାଇଁ ଇଂଲିଶ୍ ଓପନର୍ ଜ୍ୟାକ୍ କ୍ରାର୍ଲି ଏକ ରଣନୀତି କରିଥିଲେ, ଯାହା ଫଳରେ ଭାରତୀୟ ଦଳ କେବଳ ଗୋଟିଏ ଓଭର ବୋଲିଂ କରିପାରିଥିଲା । ଏହି କାରଣରୁ ଭାରତୀୟ ଖେଳାଳିମାନେ, ବିଶେଷକରି ଅଧିନାୟକ ଶୁଭମନ ଗିଲ୍ ବହୁତ କ୍ରୋଧିତ ଦେଖାଯାଉଥିଲେ ।
ଦ୍ୱିତୀୟ ଇନିଂସରେ ଯେତେବେଳେ ଇଂଲଣ୍ଡର ବ୍ୟାଟ୍ସମ୍ୟାନମାନେ ବ୍ୟାଟିଂ କରିବାକୁ ଆସିଥିଲେ, ସେତେବେଳେ ଖେଳ ଶେଷ ହେବାକୁ ୬ ମିନିଟ୍ ବାକି ଥିଲା । ଏପରି ପରିସ୍ଥିତିରେ ଦୁଇଟି ଓଭର ବୋଲିଂ କରାଯାଇପାରିଥାନ୍ତା । କିନ୍ତୁ ଜ୍ୟାକ୍ କ୍ରାର୍ଲି ପ୍ରଥମେ ସମୟ ନଷ୍ଟ କରିଥିଲେ, ତା’ପରେ ସେ ଓଭରର ପଞ୍ଚମ ବଲ୍ରେ ଆହତ ହୋଇଥିଲେ । ଏହି କାରଣରୁ ଭାରତୀୟ ଦଳ କେବଳ ଗୋଟିଏ ଓଭର ବୋଲିଂ କରିପାରିଥିଲା ।
ଯଶପ୍ରିତ ବୁମରାହ ତାଳି ବଜାଇ ଜ୍ୟାକ କ୍ରାର୍ଲିଙ୍କୁ ସମାଲୋଚନା କରିଥିଲେ, ଯାହା ସ୍ପଷ୍ଟ କରିଥିଲା ଯେ ଭାରତୀୟ ଶିବିର ଏହି କାର୍ଯ୍ୟରେ ଖୁସି ନୁହେଁ । ଇଂଲଣ୍ଡର ବୋଲିଂ କୋଚ୍ ଟିମ୍ ସାଉଦି ମଧ୍ୟ ଏହି ସମ୍ପୂର୍ଣ୍ଣ ମାମଲାରେ ଏକ ବୟାନ ଦେଇଛନ୍ତି । ସାଉଦି କହିଛନ୍ତି ଯେ ଖେଳର ଦ୍ୱିତୀୟ ଦିନରେ ଯେତେବେଳେ ଶୁଭମନ ଗିଲଙ୍କୁ ମସାଜ୍ କରାଯାଉଥିଲା, ସେତେବେଳେ କେହି କିଛି କହି ନଥିଲେ, ଏସବୁ ଖେଳରେ ଘଟୁଛି ।
ତୃତୀୟ ଦିନର ଖେଳ ଶେଷ ହେବା ପରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଦ୍ରୁତ ବୋଲର ଟିମ୍ ସାଉଦି କହିଥିଲେ, 'ଦିନର ଶେଷରେ ଦୁଇ ଦଳ ମଧ୍ୟରେ କିଛି ବିବାଦ ଦେଖିବା ମିଳିଥିଲା । ଗତକାଲି ଶୁବମନ ଗିଲ୍ ନିଜେ ପଡ଼ିଆରେ ମସାଜ୍ କରୁଥିଲେ, ସେତେବେଳେ କେହି କିଛି କହିଲେ ନାହିଁ । ଏସବୁ ଖେଳର ଏକ ଅଂଶ ।'
ଟିମ୍ ସାଉଦି କହିଥିଲେ, କ୍ରାର୍ଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବ । ଆଶା କରୁଛି ସେ ଖେଳିବା ପାଇଁ ଫିଟ୍ ହେବେ ।' ଟିମ୍ ସାଉଦି ଗତ ବର୍ଷ ଡିସେମ୍ବରରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ସାଉଦି ନ୍ୟୁଜିଲ୍ୟାଣ୍ଡ ପାଇଁ ୧୦୭ ଟେଷ୍ଟ ମ୍ୟାଚ୍ରେ ୩୯୧, ୧୬୧ ଦିନିକିଆରେ ୨୨୧ ଏବଂ ୧୨୬ ଟି-୨୦ ମ୍ୟାଚ୍ରେ ୧୬୪ ୱିକେଟ୍ ନେଇଥିଲେ । ସାଉଦି ଅନ୍ତର୍ଜାତୀୟ କ୍ରିକେଟ୍ରେ ମଧ୍ୟ ୨୨୮୮ ରନ୍ କରିଥିଲେ ।