କନକ ବ୍ୟୁରୋ: ଇଂଲଣ୍ଡ ଟେଷ୍ଟ୍ ସିରିଜ ପରେ ଏବେ ସବୁଠି ଶୁବମନ ଗିଲ୍ଙ୍କୁ ମିଳୁଛି ପ୍ରଶଂସା । ତାଙ୍କରି କ୍ୟାପ୍ଟେନ୍ସି ବଳର ହିଁ ଟିମ୍ ଇଣ୍ଡିଆ ସିରିଜ ବରାବର କରିବାକୁ ସକ୍ଷମ ହେଲା ବୋଲି ପୂର୍ବତନ କ୍ରିକେଟର ମତ ରଖିଛନ୍ତି । ବିଶେଷ କରି ଶେଷ ମ୍ୟାଚ୍ରେ ଯେଉଁଭଳି ଭାବରେ ଭାରତୀୟ ଦଳ ପ୍ରଦର୍ଶନ କରିଥିଲା ତାହା ପ୍ରଶଂସନୀୟ । ଏହାପରେ ଗିଲ୍ଙ୍କୁ ଦିନିକିଆ କ୍ୟାପ୍ଟେନ୍ କରିବାକୁ ପରାମର୍ଶ ଦେଲେଣି ପୂର୍ବତନ କ୍ରିକେଟର । ମହମ୍ମଦ କୈଫ ଏହାକୁ ନେଇ ଖୋଲାଖୋଲି ଭାବରେ ମନ୍ତବ୍ୟ ଦେଇଛନ୍ତି । ଏହାଛଡ଼ା ୨୦୨୭ ବିଶ୍ୱକପକୁ ଦୃଷ୍ଟିରେ ରଖି ବିସିସିଆଇ କୌଣସି ବଡ଼ ନିଷ୍ପତ୍ତି ନେଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି ।
୨୦୨୭ ବେଳକୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବୟସ ପାଖାପାଖି ୪୦ ବର୍ଷ ହୋଇଥିବ । ତେଣୁ ଉଭୟଙ୍କ ବିଶ୍ୱକପ ଖେଳିବା ନେଇ ଏକ ସ୍ପଷ୍ଟ ଯୋଜନା କରିବା ଉଚିତ । ଏକ ଜାତୀୟ ଖବର ସରବରାହ ସଂସ୍ଥାକୁ ଏ କଥା କହିଛନ୍ତି ବିସିସିଆଇର ଜଣେ ଅଧିକାରୀ । ବିଶ୍ୱକପ ପୂର୍ବରୁ ଯୁବ ବ୍ରିଗେଡ୍କୁ ନେଇ ବଡ଼ ପ୍ଲାନ୍ କରିପାରେ ବିସିସିଆଇ । କାରଣ ନିକଟ ଅତୀତରେ ଟେଷ୍ଟ କ୍ରିକେଟ ଓ ଦିନକିଆ କ୍ରିକେଟକୁ ବାଏ ବାଏ କହି ସାରିଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲି । ଏହି ଖବର ଶହଶହ କ୍ରିକେଟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲା ସତ କିନ୍ତୁ କ୍ରିକେଟ ସମୀକ୍ଷକ ଏହାକୁ ସ୍ୱାଗତ କରିଥିଲେ । କ୍ରିକେଟ ସମୀକ୍ଷକଙ୍କ ମତରେ ଉଭୟ ଜଣେ ଜଣେ ମହାନ କ୍ରିକେଟର ନିଜକୁ ସାବ୍ୟସ୍ତ କରି ସାରିଛନ୍ତି । କ୍ରିକେଟ ଜଗତରେ ପ୍ରାୟତଃ ସବୁକିଛି ହାସଲ କରି ସାରିଛନ୍ତି । କିନ୍ତୁ ୨୦୨୭ ବିଶ୍ୱକପ୍ ପୂର୍ବରୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଫିଟ୍ ଅଛନ୍ତି ନା ନାହିଁ ତାହା ଦେଖାଯିବ ବୋଲି କହିଛନ୍ତି ବିସିସିଆଇ ଅଧିକାରୀ ।
ଉଭୟଙ୍କ ଅନୁପସ୍ଥିତିରେ ଇଂଲଣ୍ଡରେ ଗିଲ୍ ବାହିନୀ ଚମତ୍କାର ପ୍ରଦର୍ଶନ କରିବା ପରେ ଦିନିକିଆ କ୍ୟାପ୍ଟେନ୍ ଦାୟିତ୍ୱ ଚର୍ଚ୍ଚା ହେବାରେ ଲାଗିଛି । ଚର୍ଚ୍ଚା ହେବା ମଧ୍ୟ ସ୍ୱାଭାବିକ କାରଣ ୧୪ ବର୍ଷ ପୂର୍ବେ ଭାରତ ଦିନିକିଆ ବିଶ୍ୱକପ ଜିତିଥିଲା । ୨୦୨୩ରେ ଫାଇନାଲ ମ୍ୟାଚ୍ର ପରାଜୟ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଥିଲା । ୨୦୨୭ରେ ଆଫ୍ରିକା ମହାଦେଶରେ ଖେଳାଯିବ ଦିନିକିଆ ବିଶ୍ୱକପ । ତେଣୁ ଏଠାରେ ଚାମ୍ପିୟନ ଟାଇଟଲ ହାତେଇବାକୁ ସମସ୍ତ ସମ୍ଭବ ଚେଷ୍ଟା କରିବ ଭାରତୀୟ ଦଳ ।
୨୦୨୪ରେ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିବା ପରେ ଫଟାଫଟ ଫର୍ମାଟକୁ ଅଲ୍ବିଦା କହିଥିଲେ ରୋହିତ ଶର୍ମା ଓ ବିରାଟ କୋହଲି । ଏହାପରେ ଟେଷ୍ଟରେ ବି ପ୍ରଦର୍ଶନ ନିରାଶାଜନକ ରହିଥିଲେ । ଏଣୁ ଇଂଲଣ୍ଡ ଗସ୍ତ ପୂର୍ବରୁ ରୋ-କୋ ଯୋଡ଼ି ଟେଷ୍ଟକୁ ଅଲବିଦା କହିଥିଲେ । ଆଗାମୀ ଦିନିକିଆ ସିରିଜ ଦକ୍ଷିଣ ଆଫ୍ରିକାରେ ଖେଳାଯିବ । ଏଠାରେ ରୋହିତ ଶର୍ମା ଓ ବିରାଟ କୋହଲି କିଭଳି ପ୍ରଦର୍ଶନ କରୁଛନ୍ତି ତାହାରି ଉପରେ ନଜର ରହିବ । ଏହା ସହିତ ଗିଲ୍ଙ୍କୁ ଦିନିକିଆ ଦାୟିତ୍ୱ ମିଳିବ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।