କନକ ବ୍ୟୁରୋ: ଭାରତର ମହାକାଶ ଅଭିଯାନରେ ଆଉ ଏକ ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି । ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନ ବିତାଇବା ପରେ ପୃଥିବୀକୁ ଫେରିବାକୁ ଯାଉଛନ୍ତି । ତାଙ୍କର ପ୍ରତ୍ୟାବର୍ତ୍ତନ ଆକ୍ସିଅମ-୪ ମିଶନ ମାଧ୍ୟମରେ ଆରମ୍ଭ ହୋଇଛି । ଭାରତ ବ୍ୟତୀତ, ଏହି ମିସନ୍ ପୋଲାଣ୍ଡ ଏବଂ ହଙ୍ଗେରୀ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଦେଶଗୁଡ଼ିକ ଚାରି ଦଶନ୍ଧି ପରେ ମହାକାଶରେ ଅଂଶଗ୍ରହଣ କରିଥିଲେ ।
ତେବେ ସବୁ କିଛି ଠିକ୍ ରହିଲେ ଶୁଭାଂଶୁ ଶୁକ୍ଲା ଓ ତାଙ୍କ ଅନ୍ୟ ମହାକାଶଚାରୀ ସାଥୀ ଆସନ୍ତାକାଲି ମହାକାଶରୁ ପୃଥିବୀରେ ପହଞ୍ଚିବେ । ତାଙ୍କ ଫେରିବାକୁ ସାରାଦେଶ ଓ ବିଶ୍ୱ ଉତ୍ସୁକତାର ସହ ଅପେକ୍ଷା କରିଛି । ତେବେ ପ୍ରଥମରୁ ଶୁଭାଂଶୁଙ୍କ ମହାକାଶ ଯାତ୍ରା ଏତେ ସହଜ ନଥିଲା ।
ଶୁଭାଂଶୁ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନକୁ ଯିବା ଏତେ ସହଜ ହୋଇ ନଥିଲା । ଆକ୍ସିଅମ-୪ ମିସନ ବିଭିନ୍ନ ବୈଷୟିକ ତ୍ରୁଟି ଯୋଗୁ ବାରମ୍ୱାର ସ୍ଥଗିତ ରହିଥିଲା । ଜୁନ୍ ୧୦ ତାରିଖରେ ଆକ୍ସିଅମ-୪ ମିସନ୍ ପାଇଁ ପ୍ରଥମେ ଦିନ ଧାର୍ଯ୍ୟ ହୋଇଥିଲା । ପରେ ପରେ ବାରମ୍ୱାର ସ୍ଥଗିତ ରହିଥିଲା । ଶେଷରେ ଜୁନ୍ ୨୫ରେ ମହାକାଶକୁ ଯାତ୍ରା କରିଥିଲେ ଶୁଭାଂଶୁ ।
ଶୁଭାଂଶୁ ମହାକାଶରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହ ଭିଡିଓ କନଫରେସିଂରେ କଥା ହୋଇଥିଲେ । ତାଙ୍କ ପାଇଁ ଭାରତ ଗର୍ବିତ ବୋଲି କହିଥିଲେ ମୋଦୀ । କହିଥିଲେ, ତୁମ ନାମ ହିଁ ଶୁଭ, ତୁମ ଯାତ୍ରା ନୂଆଯୁଗର ଶୁଭାରମ୍ଭ । ଶୁଭାଂଶୁ କହିଥିଲେ, ମହାକାଶରୁ ଭାରତ ବେଶ ଭବ୍ୟ ଦିଶୁଛି । ଦିନକୁ ୧୬ ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖୁଥିବା କହିଥଲେ ଶୁଭାଂଶୁ ।
ଶୁଭାଂଶୁ ମହାକାଶକୁ ଯିବା ପରେ ତାଙ୍କ ପରିବାର କଥା ହୋଇ ବେଶ ଖୁସି ପ୍ରକାଶ କରିଥିଲେ । ଶୁଭାଂଶୁଙ୍କ ବାପା ଉତ୍ତର ପ୍ରଦେଶ ଲକ୍ଷ୍ନୌ ନିବାସୀ ଶମ୍ଭୁ ଦୟାଲ ଶୁକ୍ଲା ଓ ମାଆ ଆଶା ଶୁକ୍ଲା ପୁଅ ପାଇଁ ଖୁବ ଗର୍ବିତ ବୋଲି କହିବା ସହ ତାଙ୍କ ଫେରିବା ବାଟକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ସୂଚନାଯୋଗ୍ୟ ଯେ, ମହାକାଶକୁ ଯିବାରେ ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଶୁକ୍ଲା ଦ୍ୱିତୀୟ ଭାରତୀୟ ଏବଂ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର- ଆଇଏସଏସକୁ ଯିବାରେ ପ୍ରଥମ ଭାରତୀୟ । ୧୯୮୪ରେ ରାକେଶ ଶର୍ମା ମହାକାଶକୁ ଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/07/14/shubhanshu-shukla-2025-07-14-20-39-23.jpg)