କନକ ବ୍ୟୁରୋ : ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଶୁଭାଂଶୁ ଶୁକ୍ଳାଙ୍କ ୧୮ ଦିନର ଐତିହାସିକ ଯାତ୍ରା ଶେଷ ହୋଇଛି । ଏହା ପରେ ପୃଥିବୀ ପୃଷ୍ଠକୁ ଫେରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ତାଙ୍କର ସ୍ପେସ୍ଏକ୍ସ ଡ୍ରାଗନ୍ ମହାକାଶଯାନ ଅନଡକିଂ ପ୍ରକ୍ରିୟା ଆରମ୍ଭ କରିଛି । ରାକେଶ ଶର୍ମାଙ୍କ ପରେ ଦୀର୍ଘ ୪୧ ବର୍ଷ ପରେ ଶୁଭାଂଶୁ ଶୁକ୍ଳା ମହାକାଶକୁ ଯାଇଥିବା ଦ୍ୱିତୀୟ ଭାରତୀୟ ମହାକାଶଚାରୀ । ସେ ଆକ୍ସିଅମ୍-୪ ମିସନ ଅଧୀନରେ ଅନ୍ୟ ତିନିଜଣ ମହାକାଶଚାରୀଙ୍କ ସହ ISSକୁ ଯାଇଥିଲେ । ଏହି ମିସନର କମାଣ୍ଡର ହେଉଛନ୍ତି ପେଗି ହ୍ୱିଟସନ୍, ଏବଂ ଅନ୍ୟ ସଦସ୍ୟମାନେ ହେଲେ ପୋଲାଣ୍ଡର ସ୍ଲାୱୋସ୍ଜ ଉଜନାନସ୍କି-ୱିସନିଏସ୍କି ଏବଂ ହଙ୍ଗେରୀର ଟିବୋର କାପୁ । ରବିବାର ଦିନ ISSରେ ଥିବା ଅଭିଯାନ ୭୩ର ମହାକାଶଚାରୀମାନେ ଆକ୍ସିଅମ୍-୪ ଦଳ ପାଇଁ ଏକ ପାରମ୍ପରିକ ବିଦାୟ ସମାରୋହର ଆୟୋଜନ କରିଥିଲେ ।
ISSରୁ ଫେରିବେ କିପରି ?
ଅନଡକିଂ ପରେ ଡ୍ରାଗନ୍ ସ୍ପେସକ୍ରାଫ୍ଟ ISS ଠାରୁ ଏକ ସୁରକ୍ଷିତ ଦୂରତାକୁ ଚାଲିଯିବ ଏବଂ ପରେ ପୃଥିବୀର ବାୟୁମଣ୍ଡଳରେ ପୁନଃ ପ୍ରବେଶ ପାଇଁ ପ୍ରସ୍ତୁତି କରିବ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ସ୍ୱୟଂଚାଳିତ ଅଟେ । ପ୍ରାୟ ୨୨.୫ ଘଣ୍ଟାର ଯାତ୍ରା ପରେ ମହାକାଶଯାନଟି ମଙ୍ଗଳବାର, ୧୫ ଜୁଲାଇ ଦିନ ଭାରତୀୟ ସମୟ ଅନୁସାରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଆମେରିକାର କାଲିଫର୍ଣ୍ଣିଆ ଉପକୂଳରେ ପ୍ରଶାନ୍ତ ମହାସାଗରରେ ଅବତରଣ କରିବ ।
ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ ସମୟରେ ଯାନଟିକୁ ପ୍ରାୟ ୧,୬୦୦ ଡିଗ୍ରୀ ସେଲସିୟସର ଅତ୍ୟଧିକ ତାପମାତ୍ରାର ସାମ୍ନା କରିବାକୁ ପଡିବ । ଏହାପରେ, ଦୁଇଟି ପାରାଚ୍ୟୁଟ୍ ଖୋଲି ଯାନର ଗତିକୁ ନିୟନ୍ତ୍ରଣ କରିବ ଏବଂ ପରେ ଚାରୋଟି ମୁଖ୍ୟ ପାରାଚ୍ୟୁଟ୍ ସାହାଯ୍ୟରେ ଏହା ସୁରକ୍ଷିତ ଭାବେ ସମୁଦ୍ରରେ ଓହ୍ଲାଇବ ।
ପୃଥିବୀରେ ପହଞ୍ଚିବା ପରେ ଶୁଭାଂଶୁ ଏବଂ ତାଙ୍କ ସାଥୀମାନଙ୍କୁ ଡାକ୍ତରୀ ନିରୀକ୍ଷଣରେ ରଖାଯିବ ଏବଂ ସେମାନେ ପୃଥିବୀର ମାଧ୍ୟାକର୍ଷଣ ସହିତ ପୁଣି ଥରେ ଅଭ୍ୟସ୍ତ ହେବା ପାଇଁ ଏକ ସାତ ଦିନିଆ ପୁନର୍ବାସ ରହିବେ । ISSରେ ଥିବା ସମୟରେ ଶୁଭାଂଶୁ ୬୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ, ଯାହା ଭାରତର ମହତ୍ତ୍ୱାକାଂକ୍ଷୀ ଗଗନଯାନ କାର୍ଯ୍ୟକ୍ରମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।