କନକ ବ୍ୟୁରୋ : ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ କାଠପାଳ ଗାଁର ଶୁଭସ୍ମିତା ପଣ୍ଡା। ୪ ବର୍ଷ ହେଲା ଶୁଭସ୍ମିତା ନୀଳଗିରି ବ୍ଲକ ଅଯୋଧ୍ୟା ଡିଗ୍ରୀ କଲେଜରେ ଠିକା କର୍ମଚାରୀ ଭାବରେ ଅର୍ଥନୀତି ବିଭାଗର ଅଧ୍ୟାପିକା ଭାବରେ କାର୍ଯ୍ୟ କରନ୍ତି । ମାସିକ ବେତନ ମାତ୍ର ୫ ହଜାର । ଘର ଠାରୁ କଲେଜର ଦୂରତା ୮-୧୦ କିଲୋମିଟର । ପ୍ରତ୍ୟକ ଦିନ ଘର କାମ ସାରି ଟ୍ରେକର ସହାୟତାରେ କଲେଜକୁ ଆସନ୍ତି । କଲେଜରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହ କଲେଜ ଛୁଟି ପରେ ଶୁଭସ୍ମିତା ବାହାରି ଯାଆନ୍ତି ନିକଟସ୍ଥ ଆଦିବାସୀ ମୂଲକ ଗାଁ ଗୁଡିକୁ । ସେଠାରେ ନିଜେ ଶିଖିଥିବା ସିଲେଇ ଶିକ୍ଷାକୁ ମାଗଣାରେ ମହିଳା ଓ ଝିଅ ମାନଙ୍କୁ ଶିଖାଇବା ସହ ସ୍ବାବଲମ୍ବୀ ହେବାର ମାର୍ଗ ଦେଖାଉଛନ୍ତି । ସ୍ବଳ୍ପ ବେତନ ପାଉଥିବା ଶୁଭସ୍ମିତା ନିଜ ଯାତାୟତ ଖର୍ଚ୍ଚ ତୁଲାଇବା ସହ ମହିଳାମାନଙ୍କୁ ସିଲେଇ ଉପକରଣ ମାନ ମଧ୍ୟ ପ୍ରଦାନ କରିଥାଆନ୍ତି ।
ନିଜେ କଲେଜରେ ପଢୁଥିବା ସମୟରେ ଗାଁକୁ ଆସୁଥିବା ଜଣେ ସିଲେଇ ଶିକ୍ଷକଙ୍କ ଠାରୁ ମାଗଣାରେ ସିଲେଇ ଶିଖିଥିଲେ ଶୁଭସ୍ମିତା । ପ୍ରତ୍ୟକ ଦିନ କଲେଜ ଆସିବା ସମୟରେ ପଇସା ପାଇଁ ଆଦିବାସୀ ପରିବାର ଗୁଡିକରେ ଝଗଡା ହେଉଥିବାର ଦେଖି ସେ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମନସ୍ଥ କରି ନିଜେ ଶିଖିଥିବା ସିଲେଇ ଶିକ୍ଷାକୁ ଉପଯୋଗ କରିଥିଲେ । ପ୍ରଥମେ କିଛି ଛାତ୍ରୀଙ୍କ ସହ ନିକଟରେ ଥିବା ଗାଁକୁ ଯାଇ ସିଲେଇ ଶିକ୍ଷା ପାଇଁ ପ୍ରବର୍ତ୍ତାଇଥିଲେ । ପ୍ରଥମେ ୪ ଜଣ ମହିଳାରେ ଏହି ଶିକ୍ଷା ଆରମ୍ଭ ହୋଇଥିବା ବେଳେ ୪ ମାସରେ ଆଖପାଖ ତିନୋଟି ଗାଁର ୨୫ରୁ ଉର୍ଦ୍ଧ୍ବ ମହିଳା ଶୁଭସ୍ମିତାଙ୍କ ଠାରୁ ଶିକ୍ଷା ଗ୍ରହଣ କରି ରୋଜଗାରକ୍ଷମ ହେଲେଣି । ସେହିପରି ଫାଙ୍କା ସମୟରେ ଶୁଭସ୍ମିତା ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରନ୍ତି । କଲେଜରେ ହେଉଥିବା ସମସ୍ତ ସଚେତନ ଭିତ୍ତିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଗାଁ ଗାଁ ବୁଲି ସଚେତନ ମଧ୍ୟ କରିଥାଆନ୍ତି । ବର୍ତ୍ତମାନର ସ୍ବାର୍ଥପର ସମାଜରେ ଶୁଭସ୍ମିତାଙ୍କ ଏଭଳି ମହତ କାମ ଅନ୍ୟମାନଙ୍କ ପାଇଁ ଉଦାହରଣ ।