କନକ ବ୍ୟୁରୋ: ସ୍ୱାବଲମ୍ବୀ ହେଲେ ସ୍ୱାଭିମାନୀ ମଣିଷ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କୁ ରୋଜଗାର ଦେବ ଚିଙ୍ଗୁଡ଼ି ଯାଆଁଳ । ବାଲିମେଳା ଜଳ ଭଣ୍ଡାରରେ ପ୍ରଥମ ପର୍ଯ୍ୟାୟରେ ୪ଲକ୍ଷ ଚିଙ୍ଗୁଡ଼ି ଯାଆଁଳ ଛଡା ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ଭିତରେ ଦେଖିବାକୁ ମିଳିଛି ଉତ୍ସାହ ।
ଜଳଭଣ୍ଡାରରେ ଚିଙ୍ଗୁଡ଼ି ବଢ଼ିବେ, ମତ୍ସ୍ୟଜୀବୀଙ୍କୁ ରୋଜଗାର ମିଳିବ । ସ୍ୱାଭିମାନ ଅଞ୍ଚଳର ମତ୍ସ୍ୟଜୀବୀ ଚିଙ୍ଗୁଡ଼ି ବିକି ପରିବାର ପୋଶିବା ସହ ସ୍ୱାବଲମ୍ୱୀ ହେବେ । ମାଲକାନଗିରି ଚିତ୍ରକେଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ସେ ସବୁ ଭିତରେ ସେଠିକାର ଲୋକଙ୍କୁ ରୋଜଗାର ଯୋଗାଇଦେବା ଉଦେଶ୍ୟରେ ଆଉ ଏକ ପଦକ୍ଷେପ ନେଇଛନ୍ତି ସରକାର । ବାଲିମେଳା ଜଳ ଭଣ୍ଡାରରେ ଛଡ଼ା ଯାଇଛି ଚିଙ୍ଗୁଡ଼ି ଯାଆଁଳ ।
ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ ଚିଙ୍ଗୁଡ଼ି ଯାଆଁଳ ଛାଡ଼ିଛନ୍ତି ପ୍ରଶାସନିକ ଅଧିକାରୀ । ପ୍ରଥମ ପର୍ଯ୍ୟାୟରେ ୪ଲକ୍ଷ ଯାଆଁଳ ଛଡ଼ା ଯାଇଛି । ଆଗକୁ ଆଉ ୯ ଲକ୍ଷ ଯାଆଁଳ ଛାଡ଼ିବା ଲକ୍ଷ୍ୟ ରଖିଛି ମତ୍ସ୍ୟ ବିଭାଗ । ପୂର୍ବରୁ ବାଲିମେଳା ଜଳଭଣ୍ଡାରରେ ମାଛ ଛଡ଼ା ଯାଇଥିଲା । ଏହାସହ ମାଛ ଧରିବା ପାଇଁ ମତ୍ସ୍ୟଜୀବୀଙ୍କୁ ଉନ୍ନତ ମାନର ଡ଼ଙ୍ଗା, ଜାଲ, ଲାଇଫ ଜ୍ୟାକେଟ୍ ପ୍ରଦାନ କରାଯାଇଥିଲା । ଆଉ ଏବେ ମାଛ ସହ ଚିଙ୍ଗୁଡ଼ି ଧରି ଲାଭବାନ ହେବା ନେଇ ଆଶା ରଖିଛନ୍ତି ମତ୍ସ୍ୟଜୀବୀ ।
କିଛି ମତ୍ସ୍ୟଜୀବୀଙ୍କ କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ସରକାର ଯଦି ମାଛ ବିକ୍ରି ପାଇଁ ବଜାର ବ୍ୟବସ୍ଥା କରିଦିଅନ୍ତେ ତେବେ ସେମାନେ ଅଧିକ ଲାଭବାନ ହୋଇପାରନ୍ତେ ।