କନକବ୍ୟୁରୋ : ମାଛ ଭଳି ଚିଙ୍ଗୁଡ଼ି ବି ଏକ ଲାଭଜନକ ବ୍ୟବସାୟ । ରାଜ୍ୟ ତଥା ରାଜ୍ୟ ବାହାରେ ବି ରହିଛି ଓଡ଼ିଶା ଚିଙ୍ଗୁଡ଼ିର ଚାହିଦା । ବିଦେଶକୁ ବି ରପ୍ତାନୀ ହୁଏ ଓଡ଼ିଶାର ଚିଙ୍ଗୁଡ଼ି ।
ଲୋକଙ୍କ ଚାହିଦାକୁ ନଜରରେ ରଖି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳର ଯୁବ ଚାଷୀ ମାନେ ଏହି ଚାଷ ଅପଣାଇଛନ୍ତି । ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କରି ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି । ବ୍ୟାଙ୍କରୁ କିଛି ରୁଣ ନେଇ ନିଜ ଜମିରେ ପୋଖରୀ ଖୋଳିଛନ୍ତି ।
ଭେନାମୀ ପ୍ରଜାତିର ଚିଙ୍ଗୁଡ଼ି ଚାଷ କରି ଲାଭବାନ ହେଉଛନ୍ତି । ଏହି ଚିଙ୍ଗୁଡ଼ି ବଢ଼ିବା ପାଇଁ ୯୦ ଦିନ ସମୟ ଲାଗିଥାଏ । ବିଶେଷକରି କଣ୍ଟାଳ, ବାଗ୍ଦା, ଘୋଡ଼ିଆ ଆଦି ଚିଙ୍ଗୁଡ଼ି ନଦୀ, ନାଳ ଓ ସମୁଦ୍ରରେ ବଢ଼ିଥାନ୍ତି ।
ଅସ୍ତରଙ୍ଗ ବ୍ଲକରେ ପ୍ରାୟ ୨,୦୦୦ ପୋଖରୀରେ ଚିଙ୍ଗୁଡ଼ି ଚାଷ ହେଉଛି । ପାଖାପାଖି ୨୦୦ ଚାଷୀ ଚିଙ୍ଗୁଡ଼ି ଚାଷ କରୁଛନ୍ତି । ପୂର୍ବରୁ ପାରମ୍ପରିକ ଭାବେ ନଦୀରୁ ଯାଆଁଳ ସଂଗ୍ରହ କରି ଚାଷ ହେଉଥିଲା । ଏହା ଦ୍ବାରା ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଥିଲା। ମାଛ ଜାଆଁଳ ଗବେଷଣା କେନ୍ଦ୍ର ପକ୍ଷରୁ ଭେନାମୀ ଚିଙ୍ଗୁଡ଼ି ଚାଷ ପାଇଁ ପରାମର୍ଶ ପରେ ଚାଷୀ ଲାଭବାନ ହେଉଛନ୍ତି ।
ଭେନାମୀ ଚିଙ୍ଗୁଡ଼ି ବର୍ତ୍ତମାନର ଜଳବାୟୁ ସହ ଖାପଖୁଆଇ ବଢୁଛନ୍ତି । ଚାଷ ଭଲ ହେଉଥିବା ବେଳେ ଭଲ ରୋଜଗାର ବି ହେଉଛି ।
ସାରା ରାଜ୍ୟରେ ଅଧିକାଂଶ ଚାଷୀ ଏହି ଚିଙ୍ଗୁଡ଼ି ଚାଷ କରୁଛନ୍ତି । ଅନେକ ଯୁବକ ଚାକିରି ପଛରେ ନଦୌଡି ଛୋଟଛୋଟ ପୋଖରୀ ଖୋଳି ଏହି ଚାଷ କରି ନିଜେ ରୋଜଗାରକ୍ଷମ ହୋଇପାରୁଛନ୍ତି ।
ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରାଂଟ ଠାରୁ ଆରମ୍ଭ କରି ଭୋଜିଭାତରେ ଚିଙ୍ଗୁଡ଼ିର ମେନ୍ୟୁ ଥାଏ । ଘରେ ଘରେ ଚିଙ୍ଗୁଡ଼ି ତରକାରୀ ହେଉ ଅବା ଚିଙ୍ଗୁଡ଼ି ଭଜା କିମ୍ବା ଚିଙ୍ଗୁଡ଼ି ଘାଂଟ ଭାରି ସ୍ବାଦିଷ୍ଟ । ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରୁଥିବା ବେଳେ ଅସ୍ତରଙ୍ଗ ଅଂଚଳର ଚାଷୀ ଏହି ଚାଷ କରି ଲାଭବାନ ହେଉଛନ୍ତି ।