କନକ ବ୍ୟୁରୋ : ଗୋଟିଏ ପରେ ଗୋଟିଏ ସୋସିଆଲ୍ ମିଡ଼ିଆ ପୋଷ୍ଟ୍ କରି ରାଜନୀତି ମହଲରେ ବିସ୍ଫୋରଣ କରିବାରେ ଲାଗି ପଡ଼ିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । କିଛିଦିନ ତଳେ ଧୃତରାଷ୍ଟ୍ର ଓ ସନ୍ନ୍ୟାସୀ ଉପାଖ୍ୟାନକୁ ନେଇ ଲେଖିଥିବା ଶ୍ରୀମୟୀ ଏଥର ନାରୀଙ୍କୁ ସମ୍ମାନ ଓ ସହିବାର ସୀମା ବାବଦରେ ଉଲ୍ଲେଖ କରିଛନ୍ତି । ଦୁର୍ଗାପୂଜା ଓ ମା' ଦୁର୍ଗାଙ୍କ ଆଗମନ ନେଇ ଶ୍ରୀମୟୀ ଏହି ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ଯେ 'ଆମ ସଂସ୍କୃତିରେ ଯେଉଁ ସ୍ଥାନରେ ନାରୀମାନେ ସମ୍ମାନିତ ହୁଅନ୍ତି, ସେଠାରେ ଦେବତାମାନେ ଆନନ୍ଦରେ ବାସ କରନ୍ତି । କିନ୍ତୁ ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ନାହିଁ, ସେଠାରେ ସମସ୍ତ କାର୍ଯ୍ୟ ନିଷ୍ଫଳ ହୁଏ । ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ମଧ୍ୟ ନାରୀଙ୍କୁ ମା’, ଦେବୀ ଓ ଶକ୍ତି ରୂପେ ପୂଜା କରାଯାଏ, ଯେପରି ଦୁର୍ଗା ପୂଜାରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଇଥାଏ । ବାସ୍ତବରେ ମହିଳା ସହନଶୀଳ ହୋଇଥା’ନ୍ତି । କିନ୍ତୁ କ’ଣ ଏହା ଜରୁରୀ ଯେ ପ୍ରତ୍ୟେକ ପରିସ୍ଥିତିରେ ସେମାନଙ୍କ ସହନଶୀଳତାର ପରୀକ୍ଷା ନିଆଯିବ? ମା’ ଦୁର୍ଗାଙ୍କ ଆଗମନ ନାରୀଶକ୍ତିର ଜୟଗାନ ଓ ଅନ୍ୟାୟର ବିରୋଧରେ ସଂଘର୍ଷର ପ୍ରତୀକ । ଏହା ଆମକୁ ଶିକ୍ଷା ଦେଇଥାଏ ଯେ ନାରୀଙ୍କ ଉପରେ ଅତ୍ୟାଚାର କେବେ ସହ୍ୟ କରାଯିବା ଉଚିତ ନୁହେଁ ଏବଂ ସେମାନଙ୍କ ସମ୍ମାନ ଓ ସଶକ୍ତିକରଣ ପାଇଁ ସମାଜ ସବୁବେଳେ ଆଗେଇ ଆସିବା ଦରକାର ।’ ଏହା ପୂର୍ବରୁ ଧୃତରାଷ୍ଟ୍ର ଏବଂ ସନ୍ନ୍ୟାସୀ ପ୍ରସଙ୍ଗ ନେଇ ଦଳୀୟ ନେତୃତ୍ବଙ୍କୁ ତେରେଛା ବାଣ ମାରିଥିଲେ ଏହି ବିଜେଡି ନେତ୍ରୀ । କିଛି ଦିନ ତଳେ ଶ୍ରୀମୟୀଙ୍କ ଏଭଳି ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଚେତାବନୀ ଦେଇଥିଲା ଦଳ । ଏବେ ଏହାକୁ ନେଇ ବିଜେଡି କିଭଳି ପ୍ରତିକ୍ରିୟାଶୀଳ ହେଉଛି ତା’ ଉପରେ ରହିଛି ନଜର ।

Advertisment

ଧୃତରାଷ୍ଟ୍ର, ସନ୍ନ୍ୟାସୀ ପରେ ନାରୀଙ୍କୁ ସମ୍ମାନ ପ୍ରସଙ୍ଗ
ବିଜେଡି ନେତୃତ୍ବଙ୍କୁ ପୁଣି ଶ୍ରୀମୟୀ ମିଶ୍ରଙ୍କ ତେରେଛା ବାଣ
'ଯେଉଁଠି ନାରୀଙ୍କୁ ଦିଆଯାଏ ନାହିଁ ସମ୍ମାନ, ସେଠାରେ ସମସ୍ତ କାର୍ଯ୍ୟ ହୁଏ ନିଷ୍ଫଳ'
'ନାରୀଙ୍କୁ ମା’, ଦେବୀ ଓ ଶକ୍ତି ରୂପେ ପୂଜା କରାଯାଏ'
'ବାସ୍ତବରେ ମହିଳା ସହନଶୀଳ ହୋଇଥା’ନ୍ତି'
'ପ୍ରତ୍ୟେକ ପରିସ୍ଥିତିରେ କ’ଣ ସେମାନଙ୍କ ସହନଶୀଳତାର ପରୀକ୍ଷା ନିଆଯିବ?'
ପୂର୍ବରୁ ମଧ୍ୟ ଦଳୀୟ ନେତୃତ୍ବଙ୍କୁ ତେରେଛା ବାଣ ମାରିଥିଲେ ବିଜେଡି ନେତ୍ରୀ
ଏବେ ବିଜେଡି କିଭଳି ପ୍ରତିକ୍ରିୟାଶୀଳ ହେଉଛି ତା’ ଉପରେ ରହିଛି ନଜର