କନକ ବ୍ୟୁରୋ: ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗରେ ଶ୍ରୀମନ୍ଦିର ସମସ୍ତ ସେବାୟତ ନିଯୋଗର ସଭାପତି ଓ ସମ୍ପାଦକଙ୍କୁ ନୋଟିସ୍ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ବି ନୋଟିସ୍ ଜାରି ହୋଇଛି । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ଉତ୍ତର ରଖିବାକୁ ନୋଟିସ୍ରେ କୁହାଯାଇଛି । ଗତକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ତିନି ଗୋଟି ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଶ୍ରୀମନ୍ଦିରରେ ନବକଳେବର ସମୟରେ ବଳକା ଥିବା ଦାରୁ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଦେଉଳକରଣ, ତଢ଼ାଉକରଣ,ପାଟଯୋଶୀ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ ।
ଦ୍ଵିତୀୟ ପର୍ଯାୟରେ ବାଡ଼ଗ୍ରାହୀ ମାନଙ୍କ ସହ ବୈଠକ ବସିଥିବା ବେଳେ ବୈଠକରେ ଚାରି ବାଡ଼ଗ୍ରାହୀ ମଧ୍ୟରୁ ତିନି ବାଡ଼ଗ୍ରାହୀ ଉପସ୍ଥିତ ରହିଥିଲେ । ତୃତୀୟ ପର୍ଯ୍ୟାୟରେ ତିନି ବିଶ୍ୱକର୍ମା ମହାରଣାଙ୍କ ସହ ଆଲୋଚନା କରାଯାଇଥିଲା । ତେବେ ବଳକା ରହିଥିବା କାଠରେ ବିଗ୍ରହ ନିର୍ମାଣ ସମ୍ଭବ ନୁହେଁ ବୋଲି ବିଶ୍ୱକର୍ମା ମହାରଣା ମାନେ ମତ ରଖିଛନ୍ତି । ଏପରିକି ବଳକା ରହିଥିବା ଦାରୁ କାଠ ସମୂହରେ ମଧ୍ୟ ଏତେ ବଡ଼ ବିଗ୍ରହ ହୋଇପାରିବ ନାହିଁ ବୋଲି ବିଶ୍ୱକର୍ମା ମହାରଣା ସ୍ପଷ୍ଟ କରିଛନ୍ତି । ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ସୁରକ୍ଷା ପ୍ରଶାସକ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ସେପଟେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନାମରେ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି । ପୁରୀ ସତ୍ୟନଗରର ସୂଚନା ଓ ଅଧିକାର କର୍ମୀ ଜୟନ୍ତ କୁମାର ଦାଶ ଏହି ଏତଲା ଦେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ନବକଳେବର ବଳକା ଦାରୁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିକିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏ ପ୍ରସଙ୍ଗରେ ପୁରୀ ଗଜପତି ମହାରାଜାଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହାର ଉତ୍ତର ମଧ୍ୟ ଗଜପତି ମହାରାଜା ରଖିଛନ୍ତି ।