ଶ୍ରୀମନ୍ଦିର ପରିଚାଳନା କମିଟି ଗଠନରେ ବିଳମ୍ବ । ଅଟକି ରହୁଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

କାଳିଆ ପାଇଁ ବି ଚରମ ଅବହେଳା । ବିନା ପରିଚାଳନା କମିଟିରେ ଶ୍ରୀମନ୍ଦିର ପାଇଁ ନିଆଯାଉଛି ନିଷ୍ପତ୍ତି । ୬ମାସ ହେଲା ଭାଙ୍ଗିଥିଲେ ବି ହୋଇପାରୁନି ନବକଳେବର । ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାର ଓ ଗଜପତିଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଲେ ସେବାୟତ । 

ଶ୍ରୀମନ୍ଦିର -

କନକ ବ୍ୟୁରୋ: ୬ମାସ ହେଲା ସରିଲାଣି କାର୍ୟ୍ୟକାଳ, ଏଯାଏଁ ହୋଇପାରୁନି ଶ୍ରୀମନ୍ଦିର ପରିଚାଳନା କମିଟିର ନବକଳେବର । ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତିଠାରୁ ଆରମ୍ଭ କରି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ମେଘନାଦ ପ୍ରାଚୀରର ସୁରକ୍ଷା, ଅବଢ଼ା ଦର ନିୟନ୍ତ୍ରଣ, ମାହାଲ ବ୍ୟବସ୍ଥା ନେଇ ନିଷ୍ପତ୍ତି ହେଉଛି ବାଧାପ୍ରାପ୍ତ । ଗତ ସେପ୍ଟେମ୍ବର ୨ ତାରିଖରୁ ପରିଚାଳନା କମିଟିର ଅବଧି ଶେଷ ହୋଇସାରିଛି । 

ନୂଆ ପରିଚାଳନା କମିଟି ଗଠନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଆଇନ ବିଭାଗ ୮ ସୂତ୍ରୀ ଫର୍ମୁଲା ଦେଇଛି । ଏସବୁ ସତ୍ତ୍ବେ କମିଟି ଗଠନରେ କାହିଁକି ହେଉଛି ବିଳମ୍ବ ତାକୁ ନେଇ ପ୍ରଶ୍ନ ଉଠିଛି । ଏହା ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ ହୋଇଥିବା ବେଳେ କମିଟି ମନୋନୟନକୁ ତ୍ୱରାନ୍ୱିତ କରିବାକୁ ଜୋର୍ ଧରିଛି ଦାବି ।
 

ଶ୍ରୀମନ୍ଦିର ପରିଚାଳନା କମିଟିରେ ୧୮ ଜଣ ସଦସ୍ୟ ରହିଥାନ୍ତି । ଗଜପତି ମହାରାଜା, ଜିଲ୍ଲାପାଳ, ଏସପି, ଏଏସଆଇ ଅଧିକାରୀଙ୍କୁ ବାଦ୍ ଦେଲେ ୧୦ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଥାଏ । ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ଆଇନ ୧୯୫୫ ଅନୁଯାୟୀ ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଏ । ସେହି ଅନୁଯାୟୀ ଶ୍ରୀମନ୍ଦିର ସଂକ୍ରାନ୍ତୀୟ ସମସ୍ତ ନିଷ୍ପତ୍ତି ଉପରେ ପରିଚାଳନା କମିଟିର ମୋହର ବାଜେ । ତେବେ ବିଗତ କିଛି ବର୍ଷ ଏହାର ଉଲଙ୍ଘନ କରାଯାଉଛି । କିଛି ନିର୍ଦ୍ଦିଷ୍ଟ ନିଯୋଗ ଓ ପ୍ରଶାସନର ପାଖ ଲୋକଙ୍କୁ କମିଟିରେ ସ୍ଥାନ ମିଳୁଛି ବୋଲି ଅଭିଯୋଗ କରିଛି ଛାମୁ ଖୁଣ୍ଟିଆ ନିଯୋଗ । କେବେ ଗଠନ ହେବ ଶ୍ରୀମନ୍ଦିରର ନୂଆ ପରିଚାଳନା କମିଟି? ନୂଆ କମିଟି ଗଠନରେ କାହିଁକି ହେଉଛି ବିଳମ୍ବ ? ଏସବୁ ମଧ୍ୟରେ ବାଧାପ୍ରାପ୍ତ ହେଉଛି ଶ୍ରୀମନ୍ଦିରରେ ଉନ୍ନୟନମୂଳକ କାର୍ୟ୍ୟ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe