କନକ ବ୍ୟୁରୋ: ୬ମାସ ହେଲା ସରିଲାଣି କାର୍ୟ୍ୟକାଳ, ଏଯାଏଁ ହୋଇପାରୁନି ଶ୍ରୀମନ୍ଦିର ପରିଚାଳନା କମିଟିର ନବକଳେବର । ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତିଠାରୁ ଆରମ୍ଭ କରି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ମେଘନାଦ ପ୍ରାଚୀରର ସୁରକ୍ଷା, ଅବଢ଼ା ଦର ନିୟନ୍ତ୍ରଣ, ମାହାଲ ବ୍ୟବସ୍ଥା ନେଇ ନିଷ୍ପତ୍ତି ହେଉଛି ବାଧାପ୍ରାପ୍ତ । ଗତ ସେପ୍ଟେମ୍ବର ୨ ତାରିଖରୁ ପରିଚାଳନା କମିଟିର ଅବଧି ଶେଷ ହୋଇସାରିଛି ।
ନୂଆ ପରିଚାଳନା କମିଟି ଗଠନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଆଇନ ବିଭାଗ ୮ ସୂତ୍ରୀ ଫର୍ମୁଲା ଦେଇଛି । ଏସବୁ ସତ୍ତ୍ବେ କମିଟି ଗଠନରେ କାହିଁକି ହେଉଛି ବିଳମ୍ବ ତାକୁ ନେଇ ପ୍ରଶ୍ନ ଉଠିଛି । ଏହା ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ ହୋଇଥିବା ବେଳେ କମିଟି ମନୋନୟନକୁ ତ୍ୱରାନ୍ୱିତ କରିବାକୁ ଜୋର୍ ଧରିଛି ଦାବି ।
ଶ୍ରୀମନ୍ଦିର ପରିଚାଳନା କମିଟିରେ ୧୮ ଜଣ ସଦସ୍ୟ ରହିଥାନ୍ତି । ଗଜପତି ମହାରାଜା, ଜିଲ୍ଲାପାଳ, ଏସପି, ଏଏସଆଇ ଅଧିକାରୀଙ୍କୁ ବାଦ୍ ଦେଲେ ୧୦ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଥାଏ । ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ଆଇନ ୧୯୫୫ ଅନୁଯାୟୀ ନୂଆ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଏ । ସେହି ଅନୁଯାୟୀ ଶ୍ରୀମନ୍ଦିର ସଂକ୍ରାନ୍ତୀୟ ସମସ୍ତ ନିଷ୍ପତ୍ତି ଉପରେ ପରିଚାଳନା କମିଟିର ମୋହର ବାଜେ । ତେବେ ବିଗତ କିଛି ବର୍ଷ ଏହାର ଉଲଙ୍ଘନ କରାଯାଉଛି । କିଛି ନିର୍ଦ୍ଦିଷ୍ଟ ନିଯୋଗ ଓ ପ୍ରଶାସନର ପାଖ ଲୋକଙ୍କୁ କମିଟିରେ ସ୍ଥାନ ମିଳୁଛି ବୋଲି ଅଭିଯୋଗ କରିଛି ଛାମୁ ଖୁଣ୍ଟିଆ ନିଯୋଗ । କେବେ ଗଠନ ହେବ ଶ୍ରୀମନ୍ଦିରର ନୂଆ ପରିଚାଳନା କମିଟି? ନୂଆ କମିଟି ଗଠନରେ କାହିଁକି ହେଉଛି ବିଳମ୍ବ ? ଏସବୁ ମଧ୍ୟରେ ବାଧାପ୍ରାପ୍ତ ହେଉଛି ଶ୍ରୀମନ୍ଦିରରେ ଉନ୍ନୟନମୂଳକ କାର୍ୟ୍ୟ ।