କନକ ବ୍ୟୁରୋ: ରାମ ଜନ୍ମଭୂମି ଅଯୋଧ୍ୟାରେ ଆଜି ଦିନ ଠିକ୍ ୧୨ଟାରେ ଶ୍ରୀରାମଙ୍କ ମସ୍ତକରେ ଦେଖିବାକୁ ମିଳିଥିଲା ସୂର୍ଯ୍ୟ ତିଳକ । ଏଭଳି ଅଲୌକିକ ଅନୁଭୂତିର ସାକ୍ଷୀ ପାଲଟିଛନ୍ତି ସମସ୍ତ ରାମ ଭକ୍ତ । ଅଯୋଧ୍ୟାସ୍ଥିତ ରାମ ଲାଲାଙ୍କ ମନ୍ଦିରରେ ଖଞ୍ଜା ଯାଇଥିବା ବିଶେଷ ଜ୍ଞାନକୌଶଳରୁ ପ୍ରାୟ ୪ ମିନିଟ୍ ଧରି ହୋଇଥିଲା ସୂର୍ଯ୍ୟ ତିଳକ । ମନ୍ଦିରରେ ସ୍ୱତନ୍ତ୍ର ରିଫ୍ଲେକ୍ଟର ଓ ଲେନ୍ସ ଖଞ୍ଜି ଏଭଳି ବ୍ୟବସ୍ଥା କରାଯାଇଛି ଯେମିତି ସୂର୍ଯ୍ୟଙ୍କ କିରଣ ସିଧା ରାମ ଲାଲାଙ୍କ ଲଲାଟରେ ପଡ଼ିଥିଲା । ଟିଭି ପରଦା ଓ ମୋବାଇଲ୍ ସ୍କ୍ରିନ୍ରେ ଏହି ଦିବ୍ୟ ଦୃଶ୍ୟକୁ ଦେଖି ଅଭିଭୂତ ହୋଇଥିଲେ ଶ୍ରଦ୍ଧାଳୁ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବକୁ ସାରାଦେଶରେ ହର୍ସ ଉଲ୍ଲାସର ସହ ପାଳନ କରାଯାଇଛି । ବିଶେଷ କରି ରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଥିବାରୁ, ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାମ ଲାଲାଙ୍କ ମନ୍ଦିର ବାହାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି ।
ପବିତ୍ର ଶ୍ରୀରାମ ନବମୀରେ ଚାରିଆଡ଼େ ଶୁଭୁଛି ରାମନାମ । ଜୟ ଶ୍ରୀରାମ ଧ୍ୱନିରେ ଉତ୍ସବ ମୁଖର ହେଉଛି ଗାଁଠୁ ସହର । ଦିନତମାମ ରାମ ମନ୍ଦିରରେ ଭିଡ଼ ପରେ ସନ୍ଧ୍ୟାରେ ସବୁଠି ଆୟୋଜନ ହୋଇଛି ସ୍ୱତନ୍ତ୍ର ଶୋଭାଯାତ୍ରା । ଧର୍ମ ବିଶ୍ୱାସ ଅନୁସାରେ ଏହିଦିନ ଭଗବାନ ବିଷ୍ଣୁଙ୍କ ଜନ୍ମ ରଘୁକୂଳର ରାଜା ଦଶରଥ ଏବଂ ମାତା କୌଶଲ୍ୟାଙ୍କ ଜ୍ୟେଷ୍ଠପୁତ୍ର ଭାବେ ରାମଙ୍କ ରୂପରେ ହୋଇଥିଲା । ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ଭାବେ ପ୍ରଭୁ ଶ୍ରୀରାମ ଧରାବତରଣ କରିଥିଲେ । ଭଲ ଓ ଖରାପ ମଧ୍ୟରେ ସଂଘର୍ଷ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟକୁ ସୂଚାଇଥାଏ ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ । କାରଣ ପ୍ରଭୁ ଶ୍ରୀରାମଙ୍କ ଜନ୍ମର ମୂଳ ଉଦ୍ଦେଶ୍ୟ ଥିଲା ରାବଣର ଦୁଷ୍ଟ ଆତ୍ମାକୁ ବିନାଶ କରିବା ।
ରାମାୟଣ କେବଳ ଏକ ପୌରାଣିକ ଗ୍ରନ୍ଥ ନୁହେଁ, ଏହା ପ୍ରତ୍ୟେକ ମଣିଷ ଭିତରେ ଗତି କରୁଥିବା ଆଧ୍ୟାତ୍ମିକ ଯାତ୍ରାର ସଙ୍କେତ । ରାମ ଅର୍ଥ ପ୍ରକାଶ, ଦିବ୍ୟତା ଓ ଆତ୍ମା । ମଣିଷ ଭିତରେ ଥିବା ଚେତନା, ଯାହା ଠିକ ପଥରେ ଗତି କରିବାକୁ ପ୍ରବର୍ତାଇ ଥାଏ । ଏଭଳି ଚେତନା ଜାଗ୍ରତ ହେଲେ ରାମ ଆମ ଭିତରେ ଜନ୍ମ ନେଇଥାନ୍ତି ।