ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଜ୍ୱାଇଡ୍ ତରଫରୁ ଶ୍ରୀଜଗନ୍ନାଥ ଧାମ ପୁରୀଠାରେ ତ୍ରିବିସୀୟ ଶ୍ରୀଜଗନ୍ନାଥ ବିଶ୍ଵ ଆଧ୍ୟାତ୍ମିକ ସମାବେଶ ତା.୦୭.୦୧.୨୦୨୫ଦିନ ସ୍ଥାନୀୟ ମ୍ୟୁନିସିପାଲିଟି ଟାଉନହଲଠାରେ ଆରମ୍ଭ ହୋଇଛି । ଏହାର ବିଷୟବସ୍ତୁ ହେଉଛି ଚିନ୍ତନ ଓ ଚେତନାରେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏହାର ପ୍ରଥମ ଦିନ ସକାଳ ୬ଘଂଟା ୩୦ମିନିଟ ସମୟରେ ଶ୍ରୀମନ୍ଦିର ପରିକ୍ରମା ସହିତ ସଂକୀର୍ତନ ଆରମ୍ଭ ହୋଇ ସିଂହଦ୍ଵାରଠାରୁ ଆସି ଟାଉନହଲଠାରେ ପହଂଚିଥିଲା । ଏହାପରେ ଶ୍ରୀ ମୂରଲୀଧର ପଲାଇ ଓ ତାଙ୍କ ସାଥଙ୍କ ଦ୍ଵାରା ଶ୍ରୀଜଗନ୍ନାଥ ସହସ୍ରନାମ ପାଠ ଓ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଦ୍ବାରା ବେଦପାଠ ସହିତ ଚତୁର୍ଦ୍ଧାମୂର୍ତୀଙ୍କୁ ଆବାହନ କରାଯାଇଥିଲା । ଏହାପରେ ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀ ଓ କ୍ରିଷ୍ଣା ଶତପଥୀଙ୍କ ଦ୍ୱାରା ପାରମ୍ପରିକ ଭଜନ, ନୃତ୍ୟଶିଳ୍ପୀ ରୋଜି ସ୍ଵାଇଁଙ୍କ ଦ୍ଵାରା ଓଡିଶୀନୃତ୍ୟ ମଙ୍ଗଳାଚରଣ ଏବଂ ଶ୍ରୀ ନରେନ୍ଦ୍ର ନାୟକଙ୍କ ତତ୍ବାବଧାନରେ ଶ୍ରୀଜଗନ୍ନାଥଙ୍କ ନାମ ସଂକୀର୍ତନ କରାଯାଇଥିଲା ।
ସମାବେଶର ମୁଖ୍ୟ ଆୟୋଜକ ଡ. ଭଗବାନ ପଣ୍ଡାଙ୍କ ସ୍ଵାଗତ ଭାଷଣ ପରେ ଦିବ୍ୟ ଜୀବନ ସଂଘ ଋଷିକେଷର ଉପାଧ୍ୟକ୍ଷ ସ୍ଵାମୀ ନିର୍ଲିପ୍ତାନନ୍ଦ ସରସ୍ଵତୀ ଓ ଅନ୍ୟାନ୍ୟ ସାଧୁସନ୍ଥଙ୍କ ଉପସ୍ଥିତିରେ ସମାବେଶର ଉଦଘାଟନ ହୋଇଥିଲା । ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ରମେଶ ଚନ୍ଦ୍ର ବିଶ୍ୱାଳଙ୍କ ଦ୍ବାରା ଗଜପତି ମହାରାଜାଙ୍କ ବାର୍ତା ପଠନ ପରେ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ଦ୍ୱାରା ସଂପାଦିତ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଇଡ୍ ସ୍ମରଣୀକା ‘ଦାରୁବ୍ରହ୍ମ’ ଉନ୍ମୋଚିତ ହୋଇଥିଲା । ସ୍ଵାମୀ ନିର୍ଲିପ୍ତାନନ୍ଦ ସରସ୍ଵତୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଭଗବତ ଦର୍ଶନ ଓ ସଂସାରରୁ ମୁକ୍ତି ପାଇଁ ଭକ୍ତି ହିଁ ଏକମାତ୍ର ମାଧ୍ୟମ । ଦିବ୍ୟ ଜୀବନ ସଂଘର ସ୍ଵାମୀ ଶିବଚିଦାନନ୍ଦ ସରସ୍ଵତୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କରିଦେଲେ ଜୀବାତ୍ମା ପରମାତ୍ମାଙ୍କ ସହ ଏକାକାର ହୋଇଯାଏ । ସେ ବହିଃର୍ମୁଖୀ ଚେତନାକୁ ଅନ୍ତର୍ମୁଖୀ କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ । ବିଶ୍ବାତ୍ମା ଚେତନା ପରିଷଦ, ବଲାଙ୍ଗୀରର ଅଧ୍ୟକ୍ଷ ପୂଜ୍ୟ ପରମହଂସ ସ୍ଵାମୀ ସତ୍ୟପ୍ରଜ୍ଞାନାନନ୍ଦ ସରସ୍ଵତୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଶ୍ରୀଜଗନ୍ନାଥଙ୍କ ଲୌକିକ ସ୍ଵରୂପ ଅପେକ୍ଷା ତାଙ୍କର ଆଧ୍ୟାତ୍ମିକ ସ୍ଵରୂପକୁ ଅଧିକ ମହତ୍ଵ ଦେବା ଆବଶ୍ୟକ । ସେ ମଧ୍ୟ କହିଥିଲେ ଯେ ଜଗତର ଚିନ୍ତନ ତ୍ୟାଗ କଲେ ଶ୍ରୀଜଗନ୍ନାଥଙ୍କ ଚିନ୍ତନ ଆରମ୍ଭ ହୁଏ । ଡ. ଗୁରୁ ପ୍ରସାଦ ମହାପାତ୍ର ଓ ତାପସ ରାଜଙ୍କ ସଂଯୋଜନାରେ ଏହି ଅଧିବେଶନରେ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ (ନାଇଜେରିଆ), ଡ. ହର ପ୍ରସନ୍ନ ଦାସ (ଭାରତ), ଶ୍ରୀ ସୁକାନ୍ତ ସାହୁ (ଲଣ୍ଡନ), ଡ. ଆଦିତ୍ୟ ପରିଡା (ସ୍ଵିଡେନ) ଓ ଶ୍ରୀ କୁନା ଦାଶ (ଜାପାନ) ନିଜର ବକ୍ତବ୍ୟ ରଖୁଥିଲେ ।
ଅପରାହ୍ନ ଅଧିବେଶନରେ ରାମକୃଷ୍ଣ ମିଶନର ପୂଜ୍ୟ ସ୍ଵାମୀ ଅଭୟାନନ୍ଦ ମହାରାଜ ଓ ପୁରୀଧାମର ପୂଜ୍ୟ ସ୍ଵାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ଵତୀ ହୃଦୟରେ ଶ୍ରୀଜଗନ୍ନାଥଙ୍କୁ ଅନୁଭବ କରିବା ଉପରେ ଗୁରୁତ୍ବ ଦେଇଥିଲେ । ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଇଡ୍ କର୍ମକର୍ତାଙ୍କୁ ସାଧୁବାଦ ଜଣାଇଥିଲେ । ଦିନର ଶେଷ ଅଧିବେଶନରେ ଶ୍ରୀ ତରୁଣ ଅଗସ୍ତି (ଅଷ୍ଟ୍ରେଲିଆ), ଶ୍ରୀ ଅନନ୍ତ ସାବତ (ନାଇଜେରିଆ), ଶ୍ରୀ ସୁକାନ୍ତ ସାହୁ (ଲଣ୍ଡନ) ଓ ଶ୍ରୀ କାଳୀପଦ ତ୍ରୀପାଠୀ (ଜାପାନ) ନିଜ ନିଜର ବକ୍ତବ୍ୟ ରଖୁଥିଲେ ।
ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମାବେଶରେ ୪୩ଟି ଦେଶର ଜଗନ୍ନାଥ ପ୍ରେମୀଓ ପ୍ରସାରକମାନେ ଯୋଗଦାନ କରିଥିଲେ । ଏହି ଅବସରରେ ବାଲୁକାଶିଳ୍ପୀ ଶ୍ରୀ ସୁଦାମ ପ୍ରଧାନଙ୍କ ଦ୍ବାରା ଶ୍ରୀଜଗନ୍ନାଥଙ୍କ ବାଲୁକାମୂର୍ତୀ ପ୍ରଦର୍ଶୀତ ହୋଇଥିଲା ।
ଲୋକଙ୍କର ଆୟୋଜକ : ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ପାଲିତନ୍ତ୍ରାନ୍ତର