କନକ ବ୍ୟୁରୋ: ପଞ୍ଜାବ କିଙ୍ଗ୍ସକୁ ଆଇପିଏଲ ଟାଇଟଲ୍‌ ଜିତାଇବାରୁ ଅଳ୍ପକେ ବର୍ତ୍ତିଗଲେ ଶ୍ରେୟସ ଆୟର । ଗତ ସିଜିନ୍‌ରେ ୧୦ ବର୍ଷ ପରେ କୋଲକାତା ନାଇଟ୍‌ ରାଇଡର୍ସକୁ ଚାମ୍ପିୟନ କରାଇଥିଲେ । ଖାଲି ସେତିକି ନୁହେଁ, ୨୦୨୦ରେ ତାଙ୍କରି ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ୍‌ରେ ପହଞ୍ଚିଥିଲା । ବର୍ତ୍ତମାନ ସୁଦ୍ଧା ଶ୍ରେୟସଙ୍କ ଅଧିନାୟକତ୍ୱ ରେକର୍ଡକୁ ଦେଖିଲେ ଆଗାମୀ ଦିନରେ ଶ୍ରେୟସ ଆୟର ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ହୋଇପାରନ୍ତି ବୋଲି ଆଲୋଚନା କରୁଛନ୍ତି କ୍ରିକେଟ ସମୀକ୍ଷକ । କିନ୍ତୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ସିରିଜ୍‌ ପାଇଁ ତାଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିନି । ଏହାସତ୍ତ୍ୱେ ଆୟରଙ୍କୁ ଟିମ୍‌ ଇଣ୍ଡିଆର ଭବିଷ୍ୟତ ବୋଲି କୁହାଯାଉଛି । 

Advertisment

ଗତ ଜୁନ୍‌ ୩ ତାରିଖରେ ପଞ୍ଜାବ କିଙ୍ଗ୍ସକୁ ମାତ୍ର ୬ ରନ୍‌ରେ ମାତ୍‌ ଦେଇ ଚାମ୍ପିୟନ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଟାଇଟଲ୍‌ ବିଜୟରୁ ବଞ୍ଚିତ ହେବାପରେ ବି ଶ୍ରେୟସ ଆୟରଙ୍କ ଆତ୍ମବିଶ୍ୱାସରେ କୌଣସି ଦୁର୍ବଳତା ଦେଖିବାକୁ ମିଳିନଥିଲା । ଶ୍ରେୟସ ଆୟରଙ୍କ କ୍ୟାପ୍ଟେନ୍ସିରେ ମହେନ୍ଦ୍ର ସିଂ ଧୋନୀଙ୍କ ସଂଯମତା ଓ ବିରାଟ କୋହଲିଙ୍କ ଭଳି ଆଗ୍ରେସନ୍‌ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ମ୍ୟାଚ୍‌ ବେଳେ ରୋହିତ ଶର୍ମାଙ୍କ ଭଳି ବିନ୍ଦାସ ସ୍ୱଭାବ ବି ଦେଖାଇ ଆସିଛନ୍ତି ଶ୍ରେୟସ ଆୟର । ଏଣୁ ଟିମ୍‌ ଇଣ୍ଡିଆର ଅଧିନାୟକ ମଙ୍ଗ ଆଗାମୀ ଦିନରେ ଶ୍ରେୟସ ଆୟରଙ୍କୁ ମିଳିପାରେ । 

ଗତ ବର୍ଷ କୋଲକାତା ନାଇଟ୍‌ ରାଇଡର୍ସ ଶ୍ରେୟସ ଆୟରଙ୍କୁ ଦଳରେ ରିଟେନ୍‌ କରିନଥିଲା । ଦଳରେ ରହିବା ପାଇଁ ଆୟର ଯେଉଁ ଅର୍ଥ ଦାବି କରିଥିଲେ ତାହା ଦେବାକୁ ମନା କରି ଦେଇଥିଲା କେକେଆର୍‌ । କିନ୍ତୁ ଏହା ପଞ୍ଜାବ କିଙ୍ଗ୍ସ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ପଞ୍ଜାବ ଦଳକୁ ମିଳିଥିଲା ଜଣେ ୩୦ ବର୍ଷୀୟ ଜୋଶ୍‌ରେ ଭରା ଅଧିନାୟକ । ଏମିତି ଜଣେ କ୍ରିକେଟର ଯିଏ କ୍ୟାରିଅରର ଉତ୍ଥାନପତନ ସମୟରେ ବି ଟିମ୍‌କୁ ସଫଳ ସାବ୍ୟସ୍ତ କରାଇପାରେ । ସେ ହେଉଛନ୍ତି ଶ୍ରେୟସ ଆୟର । ଯାହାଙ୍କ ପାଖରେ ଅଧିନାୟକ ହେବାପାଇଁ ସବୁ ଗୁଣ ରହଛି ବୋଲି କ୍ରିକେଟ ସମୀକ୍ଷକ କହୁଛନ୍ତି ।  

ସିଜିନ୍‌ ଆରମ୍ଭରୁ କେହି କେବେ ଚିନ୍ତା କରିନଥିଲେ ଯେ, ପଞ୍ଜାବ କିଙ୍ଗ୍ସ ଫାଇନାଲ୍‌ରେ ପହଞ୍ଚିବ । ଦଳରେ କୌଣସି ବଡ଼ ନାଁ ନଥିବା ସତ୍ତ୍ୱେ ଶ୍ରେୟସ ଆୟର ନିଜକୁ ଓ ନିଜ ଟିମ୍‌କୁ ଟାଇଟଲ୍‌ ଦାବିଦାର କରାଇଥିଲା । ଆଇପିଏଲ୍‌ରେ ଅଧିନାୟକ ଭାବରେ ଶ୍ରେୟସ ବର୍ତ୍ତମାନ ସୁଦ୍ଧା ୭୦ଟି ମ୍ୟାଚ୍‌ ଖେଳି ୩୮ଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି । କ୍ୟାପ୍‌ଟେନ୍‌ ଭାବରେ ସେ ମାତ୍ର ୨୯ଟି ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି । ଅଧିନାୟକ ଭାବରେ  ୫୪.୨୮ ବିଜୟ ପ୍ରତିଶତ ରହିଛି । ଏଣୁ ଏବେ ରୋହିତ ଶର୍ମା ପରେ ତାଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକ ଭାର ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ହିଁ ଜଣା ପଡ଼ିବ ଆୟରଙ୍କୁ ବିସିସିଆଇ କେଉଁ ଦାୟିତ୍ୱ ଦେଉଛି ।