କନକ ବ୍ୟୁରୋ : ଶରଧାବାଲିରେ ଘଟିଥିବା ଦଳାଚକଟା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ଦଳାଚକଟାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ନିଜ ଲୋକଙ୍କୁ ହରାଇ କାନ୍ଦି କାନ୍ଦି ପାଗଳ ପ୍ରାୟ ହୋଇଯାଇଛନ୍ତି ପରିବାର ବର୍ଗ । ଏହି ଘଟଣାରେ ମୃତକଙ୍କ ପରିବାର ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ନେତା ନବୀନ ପଟ୍ଟନାୟକ ଫୋନ୍ ଯୋଗେ କଥା ହୋଇଛନ୍ତି । ମୃତ୍ୟୁ ବରଣ କରିଥିବା ମହିଳାଙ୍କ ସ୍ୱାମୀ କାନ୍ଦି କାନ୍ଦି ଫୋନ୍ ଯୋଗେ ନବୀନଙ୍କୁ କହୁଛନ୍ତି , ମୋ ସଂସାର ଭାସିଗଲା । ପ୍ରଶାସନ ଢିଲା, ଆନାଉନ୍ସ ହେଉନାହିଁ, ସବୁ ଢିଲା । ପୁଲିସ ଆମକୁ ସହଯୋଗ କିଛି ଆମକୁ ସହଯୋଗ କଲା ନାହିଁ । ଏହା ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପରିବାର ସଦସ୍ୟମାନେ ପ୍ରଶାସନ ଓ ପୁଲିସର ଭୂମିକା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଅନ୍ୟପଟେ ୩ ଜଣ ଭକ୍ତଙ୍କ ମୃତ୍ୟୁ ଘଟଣାରେ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତ୍ୟନ୍ତ ବ୍ୟଥିତ ହୋଇ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ପରଲୋକଗତ ଭକ୍ତ ମାନଙ୍କ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଏ ଘଟଣାରେ ବ୍ୟକ୍ତିଗତ ଭାବେ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି ।
ଏହା ସହ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ମଧ୍ୟ ବଦଳି କରାଯାଇଛି । ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଚଞ୍ଚଲ୍ ରାଣାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ନୂତନ ଏସ୍ପି ଭାବେ ଶ୍ରୀ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆ ଯାଇଛି । ଏହା ସହିତ DCP ଶ୍ରୀ ବିଷ୍ଣୁ ପତି ଓ କମାଣ୍ଡାଣ୍ଟ୍ ଶ୍ରୀ ଅଜୟ ପାଢୀଙ୍କୁ ଦାୟିତ୍ବରେ ଅବହେଳା ଅଭିଯୋଗ ଯୋଗୁଁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ , ମହାପ୍ରଭୁଙ୍କ ରଥଯାତ୍ରା ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ । ଏଥିରେ ସାମାନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ । ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।