କନକ ବ୍ୟୁରୋ : ପୁରୀରେ ରଥକାଠ ଅଭାବ ପୂରଣ ପାଇଁ ବୌଦ୍ଧ ବନଖଣ୍ଡରୁ ଆସିଲା ୩୨ ଖଣ୍ଡ ୪୦ ଫୁଟିଆ କାଠ । ସେଥିରେ ୧୦ଟି ଧଉରା ଓ ୨୨ଟି ଅସନ କାଠ ରହିଛି । ପୂର୍ବରୁ ୩୮ ଖଣ୍ଡ କାଠ ଆସିଥିଲା । ତେବେ ଅଖ ତିଆରି ପାଇଁ ଏହା ଯଥେଷ୍ଟ ନୁହେଁ । ଅବଶିଷ୍ଟ କାଠ ଆସିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
ଆବଶ୍ୟକ କାଠ ଆସିନଥିବାରୁ ପୁରୀରେ ରଥ ନିର୍ମାଣ ବିଳମ୍ବ ହେଉଛି । ଅଖ ପାଇଁ ପୂର୍ବରୁ ୩୮ ଖଣ୍ଡ କାଠ ଆସିଥିଲା । ପୁଣି ବୌଦ୍ଧରୁ ୩୨ ଖଣ୍ଡ କାଠ ଆସିଛି କିନ୍ତୁ ସମସ୍ତ ଅଖ ନିର୍ମାଣ ପାଇଁ ତାହା ଯଥେଷ୍ଟ ନୁହେଁ । ଏଥିପାଇଁ ବିଶ୍ୱକର୍ମା ମହାରଣା ଅସନ୍ତୋଷ ପ୍ରକାଶ କରିଛନ୍ତି । ଏମିତି ପରିସ୍ଥିତରେ କେମିତି ଧାର୍ଯ୍ୟ ସମୟରେ ରଥ ନିର୍ମାଣ ସଂପୂର୍ଣ୍ଣ ହେବ, ସେନେଇ ପ୍ରଶ୍ନ ଉଠୁଛି ।
ବିଭିନ୍ୱ ଜଗନ୍ନାଥ ବନ ପ୍ରକଳ୍ପରେ ୨୦୦୦ରୁ ୨୦୧୭ ମଧ୍ୟରେ ଫାଶୀ, ଅର୍ଜୁନ, ଧଉରା, ନିମ, ଶିଆଳି, ପିଆଶାଳ, ଆକାଶୀ ଗଛ ଲାଗିଥିଲା । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ କାଠ ରଥ ଉପଯୋଗୀ ହେଉନାହିଁ । ଏଥିପ୍ରତି କେହି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି । ଗଜପତି ମହାରାଜା ଏଥିରେ ହସ୍ତକ୍ଷେପ କରିବାକୁ ସେବାୟତମାନେ ମତ ଦେଇଛନ୍ତି । ରଥକାଠ ସମସ୍ୟାର ସ୍ଥାୟୀ ସମାଧାନ କ’ଣ ? ଏବେ ଠାରୁ ଏ ବିଷୟରେ ଚିନ୍ତା ନକଲେ ଆଗକୁ ବଡ଼ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ।