କନକ ବ୍ୟୁରୋ: ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଭାରତର ଗ୍ରାମାଞ୍ଚଳ ଡାକ୍ତରଖାନାରେ ମିଳୁନି ଚିକିତ୍ସା ସୁବିଧା । ଔଷଧ ଅଭାବ ରୋଗୀଙ୍କୁ ନାକେଦମ କରୁଛି । ବର୍ଷକର ୧୨ ମାସରୁ ୭ ମାସ ମିଳୁନି ଔଷଧ । ସର୍ଭେ ରିପୋର୍ଟରେ ଏଭଳି ସ୍ଥିତି ସାମ୍ନାକୁ ଆସିବା ପରେ ରୋଗୀଙ୍କ ଟେନସନ ଆହୁରି ବଢିଛି ।
ଗାଁ ଡାକ୍ତରଖାନା ଏବେ ରୋଗିଣା !
ଦେଶରେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ମଧୁମେହ ରୋଗୀଙ୍କ ତାଲିକାରେ ଭାରତ ଏବେ ଦ୍ବିତୀୟ । ଏଭଳି ସାଂଘାତିକ ସ୍ଥିତି ଭିତରେ ଗ୍ରାମୀଣ ଅଞ୍ଚଳରେ ଚିକିତ୍ସା ଅଭାବର ବିକଳ ଚିତ୍ର ସାମ୍ନାକୁ ଆସିଛି । ନା ଅଛି ଔଷଧ ନା ମିଳୁଛି ଚିକିତ୍ସା ସୁବିଧା । ଗ୍ରାମୀଣ ଅଞ୍ଚଳରେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀ ହସ୍ପିଟାଲକୁ ଯାଇ ଦହଗଞ୍ଜ ହେଉଛନ୍ତି । ଭାରତର ୪୦ ପ୍ରତିଶତ ସିଏଚ୍ସି ଏବଂ ୩୯ ପ୍ରତିଶତ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଏହି ରୋଗର ସେବା ମିଳିବା ସମ୍ଭବପର ହେଉନାହିଁ । ଆଇସିଏମଆର, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ୭ଟି ରାଜ୍ୟରେ ସର୍ଭେ କରାଯାଇଥିଲା । ଓଡ଼ିଶାର ପୁରୀ, ନୟାଗଡ, ଗଞ୍ଜାମ, ମୟୂରଭଞ୍ଜରେ ହୋଇଥିବା ସର୍ଭେରେ ସ୍ବାସ୍ଥ୍ୟସେବାର ଅସଲ ଚିତ୍ରକୁ ସାମ୍ନାକୁ ଆଣିଛି ।
ରୋଗୀ ସାବଧାନ… !
- ମଧୁମେହ ଓ ଉଚ୍ଚ ରକ୍ତଚାପ ପରିଚାଳନା ପାଇଁ ଅତ୍ୟାବଶ୍ୟକ ଔଷଧର ଅଭାବ
- ବାର୍ଷିକ ଆସୁଥିବା ଔଷଧ ୩ରୁ ୪ ମାସ ଭିତରେ ଶେଷ ହେଉଛି
- ବଳକା ୭ରୁ ୮ ମାସ ହସ୍ପିଟାଲର ଔଷଧ ଆଲମିରା ଖାଲି ପଡୁଛି
- ଚିକିତ୍ସା ପାଇଁ ଆବଶ୍ୟକୀୟ ଡାକ୍ତର ଉପଲବ୍ଧ ନାହାନ୍ତି
- ରୋଗର ଚିକିତ୍ସା ପାଇଁ ସରଞ୍ଜାମର ଘୋର ଅଭାବ
ଭାରତରେ ଏବେ ୩୧୫ ନିୟୁତ ଉଚ୍ଚ ରକ୍ତଚାପ ରୋଗୀ ଥିବା ବେଳେ ୧୦୧ ନିୟୁତରୁ ଊର୍ଦ୍ଧ୍ୱ ମଧୁମେହ ରୋଗୀ ଅଛନ୍ତି । ଦେଶରେ ୪ ପ୍ରତିଶତରୁ ଅଧିକ ମୃତ୍ୟୁ ମଧୁମେହ ସହ ଜଡ଼ିତ ଥିବା ବେଳେ ୧୧ ପ୍ରତିଶତ ଅଧିକ ମୃତ୍ୟୁ ଉଚ୍ଚ ରକ୍ତଚାପ ସହ ଜଡ଼ିତ । ଏଭଳି ସଙ୍କଟଜନକ ସ୍ଥିତିରେ ଗ୍ରାମାଞ୍ଚଳ ହସ୍ପିଟାଲରେ ଔଷଧ ଷ୍ଟକ୍ ରହୁନି । ଫଳରେ ଘରୋଇ ଔଷଧ ଦୋକାନରୁ ମହଙ୍ଗା ଔଷଧ କିଣିବାକୁ ବାଧ୍ୟ ହୋଇଛନ୍ତି ରୋଗୀ । କିଛି ରୋଗୀ ମହଙ୍ଗା ଔଷଧ କିଣିନପାରି ଅଧାରୁ ଚିକିତ୍ସା ବନ୍ଦ କରୁଛନ୍ତି । ଯାହା ରୋଗୀଙ୍କ ପାଇଁ ଘାତକ ସାବ୍ୟସ୍ତ ହେଉଛି ।
ଏଭଳି ଉଦବେଗଜନକ ସ୍ଥିତିରେ ସୁଧାର ଆଣିବାକୁ ସର୍ଭେ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରାଯାଇଛି । ରାଜ୍ୟ ଓ ଜିଲ୍ଲାସ୍ତରରେ ଔଷଧ ବିତରଣରେ ପାରଦର୍ଶିତା ଏବଂ ଗ୍ରାମୀଣ ସ୍ବାସ୍ଥ୍ୟକେନ୍ଦ୍ରରେ ଔଷଧ ଅଭାବ ଦୂର କରିବାକୁ ଡିଜିଟାଲ ଟ୍ରାକିଂର ସୁପାରିଶ କରାଯାଇଛି। ସର୍ଭେ ସଂସ୍ଥା ଦେଇଥିବା ସୁପାରିଶ କାର୍ଯ୍ୟକାରୀ ନକଲେ ଆଗାମୀ ଦିନରେ ଡାଇବେଟିସ୍ ଆକ୍ରାନ୍ତରେ ନମ୍ବର ୱାନ୍ ସ୍ଥାନ ନେବ ଭାରତ ।