କନକ ବ୍ୟୁରୋ : ଖରିଫ ଚାଷ ପାଇଁ ସାର ସଙ୍କଟକୁ ନେଇ ରାଜ୍ୟ ରାଜଧାନୀରେ ଘନଘନ ବୈଠକ ବସୁଛି । ମନ୍ତ୍ରୀ ସଚିବଙ୍କ ସ୍ତରରେ ଆଲୋଚନା ହେଉଛି । ହେଲେ ଗ୍ରାମାଞ୍ଚଳରେ ସରୁନି ସାର ଯନ୍ତ୍ରଣା । ସାର ପାଇଁ ସମବାୟ ସମିତି ଓ ସରକାରୀ ଡିଲର ଦୋକାନ ସାମନାରୁ ହଟୁନି ଚାଷୀଙ୍କ ଭିଡ଼ । ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ପ୍ରତିଦିନ ଏହିଭଳି ଦୃଶ୍ୟ ଆସୁଛି । ତଥାପି ସରକାରୀ ସ୍ତରରେ ସେମିତି କିଛି ପଦକ୍ଷେପ ନିଆଯାଉଥିବା ଭଳି ଅନୁଭବ ହେଉନାହିଁ ।
ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ସମ୍ମୁଖର ଚିତ୍ର ସାର ସଂଗ୍ରାମର ଅସଲ କଥାକୁ ପଦାରେ ପକାଇଛି । ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ସବୁ ଚାଷୀଙ୍କୁ ମିଳିଲା ନାହିଁ ସାର । ସାର ନପାଇ ଉତ୍ତ୍ୟକ୍ତ ଚାଷୀ ବ୍ରହ୍ମପୁର ଓ ଭଞ୍ଜନଗର ରାସ୍ତା ଅବରୋଧ କରିଥିଲେ । ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା । ଆସିକା ସହକାରୀ ନିବନ୍ଧକ ସମବାୟ ସମିତି କାର୍ଯ୍ୟାଳୟ ଅଧୀନରେ ରହିଛି ୮ଟି ବ୍ଲକ । ଏହା ଦ୍ବାରା ୧୨୫ଟି ପେକ୍ସ ସୋସାଇଟି ମାଧ୍ୟମରେ ସାର ବିକ୍ରି ହୁଏ । ଗତ ଅଗଷ୍ଟ ୩୧ରୁ ଆସିକାର ୧୦ଟି ସୋସାଇଟିକୁ ୧୦୧ ମେଟ୍ରିକ୍ ଟନ୍ ସାର ଦିଆଯାଇଛି । ତାହା ବଣ୍ଟାଯାଉନଥିବା ଅଭିଯୋଗ ହୋଇଛି।
କେନ୍ଦୁଝର ଜିଲ୍ଲା ଘଷିପୁରାରେ ବି ଦେଖିବାକୁ ମିଳିଛି ଅଚଳାବସ୍ଥା । ଭଣ୍ଡିରିଡିହା ସମବାୟ ସମିତିରେ ପହଞ୍ଚିପାରିନି ସାର । ଭଣ୍ଡାରିଡିହା ଓ ସାମୁକାନାଣ୍ଡି ଉପରେ ପ୍ରାୟ ୧ହଜାର ୫ଶହରୁ ଅଧିକ ଚାଷୀ ନିର୍ଭରଶୀଳ । ବର୍ତ୍ତମାନ ସୁଦ୍ଧା ଧାନ ବିକ୍ରି ପାଇଁ ୭୦୪ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ହେଲେ ଉଚିତ ସମୟରେ ସେମାନଙ୍କୁ ସାର ମିଳୁନି । ଅନ୍ୟପଟେ ସମବାୟ ସମିତି ସମ୍ପାଦକ କହୁଛନ୍ତି ସମବାୟ ସମିତିର ନିଜସ୍ବ ଜମି ନଥିବାରୁ ସାର ଓ ବିହନ ପାଇଁ ଲାଇସେନ୍ସ ହୋଇପାରିନି । ଉପରିସ୍ଥ ଅଧିକାରୀ ଚାହିଲେ ଚାଷୀ ସାର ପାଇପାରିବେ । ମାଲକାନଗିରି ବି ସରୁନି ସାର ସମସ୍ୟା । ଏମ୍ଭି ୭ ଗାଁରେ ସାର ପାଇଁ ଚାଷୀ ହଟାହଟା ହେଉଛନ୍ତି । ଆଧାର କାର୍ଡ ଧରି ବଡ଼ି ଭୋରୁ ଦୋକାନ ସମ୍ମୁଖରେ ଅପେକ୍ଷା କରି ରହୁଛନ୍ତି । ସରକାରୀ ଡିଲରଙ୍କ ପାଖକୁ ୬୦୦ ବସ୍ତା ସାର ଆସିଥିବା ବେଳେ ହଜାରରୁ ଅଧିକ ଚାଷୀ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା ।