କନକବ୍ୟୁରୋ  : ରାଜ୍ୟ ସରକାର ଗୋ-ସମ୍ପଦର ବିକାଶ ଦିଗରେ ଗୁରୁତ୍ବ ଦେଇଛନ୍ତି  ।  ଏଥିପାଇଁ ପ୍ରାଣୀଧନ ସହାୟକ କେନ୍ଦ୍ର କରାଯାଇଛି  ।  ହେଲେ ସରକାରୀ ଅବହେଳା ପାଇଁ କେଉଁଠି ପ୍ରାଣୀ ଚିକିତ୍ସାଳୟରେ ତାଲା ଝୁଲୁଛି ତ ଆଉ କେଉଁଠି ଚିକିତ୍ସାଳୟରେ ପ୍ରାଣୀ ଚିକିତ୍ସକ ନାହାନ୍ତି   ।  ଫଳରେ ନିରାଶ ହୋଇପଡ଼ିଛନ୍ତି ସ୍ଥାନୀୟ ବାସିନ୍ଦା  ।  ଭୋଗରାଇ ବ୍ଲକର ୨ଟି ଗୋଷ୍ଠୀ ପ୍ରାଣୀ ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଛି  ।   ଚିକିତ୍ସାଳୟରେ ୪ଟି ରୁ ୨ଟି ଡାକ୍ତର ପଦବୀ ଖାଲିପଡ଼ିଛି  ।  ଚତୁର୍ଥଶ୍ରେଣୀ କର୍ମଚାରୀ ପଦବୀ ବି ପୂରଣ ହୋଇପାରୁନି  ।

Advertisment

ଏହାସହ ବ୍ଲକ ଅଧୀନରେ ୧୧ଟି ପ୍ରାଥମିକ ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ରହିଛି  ।  ସେଠାରେ ବି ପ୍ରାଣୀ ଚିକିତ୍ସକ ନଥିବାରୁ ବର୍ଷ ବର୍ଷ ଧରି କେନ୍ଦ୍ର ଗୁଡ଼ିକରେ ତାଲା ଝୁଲୁଛି  । ୩ଟି ପ୍ରାଥମିକ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ବିଦ୍ୟୁତ୍‌  ସଂଯୋଗ ହୋଇପାରିନି  !  ଫଳରେ ଚିକିତ୍ସାଳୟ ଗୁଡ଼ିକରେ ସ୍ଥାନୀୟ ଲୋକ ଜାଳେଣି କାଠ ରଖିଥିବାର ଦେଖିବାକୁ ମିଳୁଛି  । ଜରୁରୀ କାଳୀନ ଭିତ୍ତିରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟରେ ଆବଶ୍ୟକ ଔଷଧ ମିଳୁନାହିଁ  ।

ଚିକିତ୍ସାଳୟକୁ ଠିକ୍‌ ସେ ଔଷଧ ଆସୁନାହିଁ , ସରକାରଙ୍କ ପକ୍ଷରୁ ଅଧିକ ପ୍ରାଣୀ ଚିକିତ୍ସାଳୟ ଖୋଲା ଗଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ କରିଛନ୍ତି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ  ।  ଭୋଗରାଇ ବ୍ଲକର ୧୧ଟି ପ୍ରାଥମିକ ପ୍ରାଣୀ ଚିକିତ୍ସକ ହାତରେ ୫୦ଟି ପଞ୍ଚାୟତର ଗୃହପାଳିତ ପଶୁପକ୍ଷୀଙ୍କ ଭାଗ୍ୟ ନିର୍ଭର କରୁଛି   ।  ହେଲେ ଚିକିତ୍ସାଳୟ ଗୁଡ଼ିକରେ  ଏପରି ଅବସ୍ଥା ଲୋକଙ୍କୁ ନିରାଶ କରିଛି  ।