କନକ ବ୍ୟୁରୋ: ରାଜ୍ୟରେ ରାଜସ୍ବ ଆଦାୟରେ ଅବକାରୀ ବିଭାଗର ରହିଛି ପ୍ରମୁଖ ଭୂମିକା । ଆଉ ଏଥିପାଇଁ ମଦର ଦର ବୃଦ୍ଧିକୁ ନେଇ ଚିନ୍ତା କରୁଛନ୍ତି ସରକାର । କିନ୍ତୁ ତା ପୂର୍ବରୁ ଦର ବଢ଼ାଇ ଦେଇଛନ୍ତି ବ୍ରହ୍ମପୁର ସହରର କିଛି ଅସାଧୁ ବ୍ୟବସାୟୀ। ଏମ୍ ଆର ପି ପ୍ରିଣ୍ଟ ରେଟରେ ମଦ ବିକ୍ରି କରିବା ଲାଗି ସରକାରଙ୍କ ନିୟମ ରହିଛି । କିନ୍ତୁ ସରକାରୀ ନିୟମକୁ ଫୁ କରି ବ୍ୟବସାୟୀ ଚଳାଇଛନ୍ତି ବ୍ୟବସାୟ । ନଜର ପକାନ୍ତୁ ଏହି ଏକ୍ସକ୍ଲୁସିଭ୍ ଦୃଶ୍ୟ ଉପରେ । ଭଲ କରି ଦେଖନ୍ତୁ ଦର ବୃଦ୍ଧି ନେଇ ଜଣ କହୁଛନ୍ତି ଏହି ବ୍ୟବସାୟୀ । ଏମ୍ଆରପି ନୁହେଁ ମନଇଛା ରେଟ୍ ନେଉଛନ୍ତି ବ୍ୟବସାୟୀ ।
ଏବେ ଟାଟା ବେଞ୍ଜ ଛକରେ ଥିବା ଏହି ବାରକୁ ଦେଖନ୍ତୁ । କୌଣସି ଠିପି ଖୋଲା ଦୋକାନରେ କାଉଣ୍ଟର ସେଲ ନ କରିବା ନିୟମ ରହିଛି । ତଥାପି ଖୁଲ୍ଲମଖୁଲା ଚାଲିଛି ବେପାର । ଏଠି ମନଇଛା ରେଟ ବଢାଇ ବିକ୍ରି କରୁଛନ୍ତି ବ୍ୟବସାୟୀ । କେବଳ ଏହି ଦୁଇଟି ନୁହେଁ ସହରରେ ଅନେକ ଦୋକାନ ରହିଛି ଯେଉଁଠି ଖୋଲାଖୋଲି ବେଆଇନ ଭାବେ ଚାଲିଛି ବେପାର । ମଦ ବ୍ୟବସାୟରେ ଅଧିକ ରାଜସ୍ୱ ପାଉଥିବା ଜିଲ୍ଲା ଭିତରେ ରହିଛି ଗଞ୍ଜାମ ଜିଲ୍ଲା ।
ଜିଲ୍ଲାର ମାତ୍ରାଧିକ ମଦ କାଉଣ୍ଟର ବି ରହିଛି ବ୍ରହ୍ମପୁର ସହରରେ । ୨ଗୋଟି କ୍ଲବକୁ ମିଶାଇ ୪୧ଟି ଠିପି ବନ୍ଦ ଓ ବାର୍ ବ୍ରହ୍ମପୁର ଅବକାରୀ ଜିଲ୍ଲାରେ। ରାଜସ୍ଵ ହାନି ହେଉଥିବା ଯୋଗୁଁ ବନ୍ଦ ଥିବା ୧୧ଟି ଠିପି ବନ୍ଦ ଦୋକାନ ମଧ୍ୟରୁ ଅଧିକାଂଶ ଏହାରି ୠିତରେ ମଧ୍ୟରେ ଖୋଲିଯାଇଛି ।
ତେବେ ଏ ସବୁ ବେଆଇନ କାରବାର ପଛରେ ଅବକାରୀ ବିଭାଗ ନାକ ତଳେ ଚାଲୁଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ । ବ୍ରହ୍ମପୁର ସହରରେ ଅବସ୍ଥା ଯଦି ଏଭଳି ତେବେ ଗାଁ କଥା ନ କହିବା ଭଲ । ଏଣୁ ନିୟମ ଖିଲାପ କାରୀ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ ଅଘଟଣ କୁ ରୋକିବା ସହ ରାଜସ୍ବ ବୃଦ୍ଧିରେ ସହାୟକ ହୋଇପାରିବ ।