କନକ ବ୍ୟୁରୋ: ରାଜ୍ୟରେ ବଢ଼ି ବଢ଼ି ଚାଲିଛି ବାଲି ମାଫିଆଙ୍କ ଆତଙ୍କ। ପଡୋଶୀ ପଶ୍ଚିମବଙ୍ଗକୁ କୋଟି କୋଟି ଟଙ୍କାର ବାଲି ଚୋର ଚାଲାଣ ହେଉଥିବା ପ୍ରସଙ୍ଗ ନଥମୁଣୁ ରାଉରକେଲାରୁ ଆସିଛି ମାଫିଆଙ୍କ ଆତଙ୍କରାଜର ଖବର। ବାଲିଘାଟକୁ କେନ୍ଦ୍ର କରି ଇସ୍ପାତ ସହରରେ ଫୁଟିଛି ଗୁଳି।
ରାଉରକେଲାରେ ବାଲି କାରବାରରେ ସମ୍ପୃକ୍ତ ଥିବା ବିଜୟ ଲାକ୍ରାଙ୍କ ଉପରେ ଗୁଳିମାଡ ହୋଇଛି। ଗୁଳିମାଡ ସମୟରେ ସେହି ଗାଡିରେ ବିଜୟଙ୍କ ପରିବାର ଥିଲେ। ଆଉ ଆଖି ଆଗରେ ମାଫିଆଙ୍କ ଆତଙ୍କ ଦେଖିଥିବାରୁ ଭୟଭୀତ ହୋଇପଡିଛନ୍ତି। ସେମାନଙ୍କୁ ପୋଲିସ ସୁରକ୍ଷା ଯୋଗାଉ ଦେଉ ବୋଲି ଦାବି କରିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ରହିଛି ୯୮ ବାଲିଘାଟ l ସେଥିରୁ ତିରିଶ ପ୍ରତିଶତ ବାଲିଘାଟ ଖାଲି ପଡିଛି l ସରକାରଙ୍କ ନୂଆ ଗାଇଡଲାଇନ ଆସିବା ପରେ ଏସବୁ ବାଲିଘାଟ ନିଲାମ ହୋଇନାହିଁ l ଏହା ଉପରେ ପଡିଛି ଏବେ ବାଲି ମାଫିଆଙ୍କ ନଜର l ତେବେ ଏଥିପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ଏଥିସହ ଗୁଳି ଫୁଟିବା ପରେ ଭୟଭୀତ ଥିବା କହିଛନ୍ତି। ଅନ୍ୟପଟେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି। ପ୍ରଶ୍ନ ଉଠୁଛି, ବାଲି ଖାଦାନର କାହିଁକି ହେଉନି ନିଲାମ? ଖଣି ବିଭାଗ କାହିଁକି ବସିଛି ଚୁପ୍?