କନକ ବ୍ୟୁରୋ : ଆସୁଛନ୍ତି ମା’ ଜଗତଜନନୀ,ରାଜ୍ୟର ପ୍ରମୁଖ ଦେବୀପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ । ଚଣ୍ଡୀପାଠ ଓ ହୋମଯଜ୍ଞରେ ପ୍ରକମ୍ପିତ ଗଗନ ପବନ, ମନ୍ଦିରରେ ଲାଗିଲାଣି ଭିଡ଼ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ଆଶ୍ୱିନ ମାସ ମୂଳାଷ୍ଟମୀ ଦ୍ୱିତୀବାହାନ ଓଷା ଠାରୁ ମା’ଙ୍କ ଷୋଡ଼ଶ ଦିବସୀୟ ପୂଜା ହେବାର ପରମ୍ପରା ରହିଛି । ମୁଖ୍ୟ ପୁରୋଧା ହିମାଂଶୁ ପତିମିଶ୍ରଙ୍କ ତତ୍ତ୍ଵାବଧାନରେ ରବିବାର ସଂଧ୍ୟାରେ ବ୍ରହ୍ମାକୁଣ୍ଡରୁ ଜଳ ଅଣାଯାଇ ନବରତ୍ନ ବେଦୀରେ ଘଟ ସ୍ଥାପନ କରାଯାଇଥିଲା । ଏହା ପରେ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳ ଅଣାଯାଇ ମା’ଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ସେପଟେ ଶୁଭ ସୁନିଆଁ ଠାରୁ ଆରମ୍ଭ ହୋଇଥିବା ମା’ଙ୍କ ରଥ କାମ ଆଗେଇ ଚାଲିଛି । ମା’ଙ୍କ ପୀଠରେ ଶାରଦୀୟ ଦୁର୍ଗାତ୍ସବରେ ରଥଯାତ୍ରା ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠରେ ଦେଖିବାକୁ ମିଳିନଥାଏ । ଏହି ଷୋଡ଼ଶ ଦିବସୀୟ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ସେପଟେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ପୀଠରେ ମଧ୍ୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ପବିତ୍ର ମୂଳାଷ୍ଟମୀ ଠାରୁ ମା ତାରାତାରିଣୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ପରମ୍ପରା ରହିଆସିଛି । ରବିବାର ସନ୍ଧ୍ୟାରେ ଋଷିକୂଲ୍ୟା ନଦୀରୁ ମନ୍ଦିର ସେବାୟତ ପରିବାରର ମହିଳାମାନେ ସହସ୍ରାଧିକ ମାଠିଆରେ ପାଣି ଧରି ପାହାଚ ଚଢ଼ି ମନ୍ଦିରରେ ପହଞ୍ଚିବା ପରେ ମା’ଙ୍କୁ ସେବାୟତ ମାନଙ୍କ ଦ୍ବାରା ସ୍ନାନ କରାଯାଇଥିଲା । ଏହାପରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବା ବେଳେ ଭକ୍ତମାନଙ୍କୁ ମା’ ଦର୍ଶନ ଦେଉଛନ୍ତି । ମୂଳାଷ୍ଟମୀ ଯାଏ ମା’ ତାରାତାରିଣୀଙ୍କ ପୀଠରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ପୂଜା । ଆଉ ମା’ଙ୍କ ଏହି ୧୬ ଦିନାତ୍ମକ ପୂଜାକୁ ଦେଖିବା ନିମନ୍ତେ ଜିଲ୍ଲା ଓ ରାଜ୍ୟ ବାହରରୁ ମଧ୍ୟ ଭକ୍ତଙ୍କ ଭିଡ଼ ଲାଗିବ ।
ଅନ୍ୟପଟେ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି ଆୟୁଧ ଶୋଭାଯାତ୍ରା । ଏଥି ସହିତ ମହାଆଡ଼ମ୍ବରରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା । ମା’ ଭଟ୍ଟାରିକା ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୋଇ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଏହି ଆୟୁଧ ଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ବଡ଼ମ୍ବା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।