କନକବ୍ୟୁରୋ : ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାରେ ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଏଚ୍ଓଡି ସମୀର ସାହୁ ବାଲେଶ୍ବର ଜିଲ୍ଲା କାରାଗାରରେ ରହିଛନ୍ତି। ଏଚ୍ଓଡି କାରାଗାରର ୩ ନମ୍ବର ସେଲ୍ରେ ରହିଥିବା ବେଳେ ଅଧ୍ୟକ୍ଷଙ୍କୁ ୧୫ ନମ୍ବର ସେଲ୍ରେ ରଖାଯାଇଛି। ଶ୍ରୀ ସାହୁଙ୍କ ସହିତ ୩ ଜଣ କଏଦୀ ରହୁଥିବା ବେଳେ ଶ୍ରୀ ଘୋଷଙ୍କ ସହିତ ୨୯ ଜଣ କଏଦୀ ରହୁଛନ୍ତି ।
ସେମାନଙ୍କର ପ୍ରତିଟି ଗତିବିଧି ଉପରେ ନଜର ରଖାଯାଇଛି। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା କିମ୍ବା ମିଳାମିଶା ନହେବା ପାଇଁ କାରାଗାର ପକ୍ଷରୁ କଡ଼ା ନଜର ରଖାଯାଇଛି । ତେବେ କାରାଗାରକୁ ଆସିବା ପରଠାରୁ ଉଭୟ ଚୁପ୍ଚାପ୍ ରହୁଥିବା ଜଣାଯାଇଛି । ସେପଟେ ସାମ୍ନାକୁ ଆସିଲା ଅଭିଯୁକ୍ତ ସମୀର ସାହୁଙ୍କ ଏକ ଭିଡିଓ । ଏ ଭିଡ଼ିଓ ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବରୁ ବୋଲି ଜଣାପଡୁଛି । ସହକାରୀ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ପରେ ସମୀର ସାହୁ ଏକ ବୈଠକରେ ଭୁଲ ମାଗୁଥିବା ଜଣାପଡିଛି । ଭିଡିଓରେ ସମୀର ସାହୁ, ପୀଡ଼ିତାଙ୍କ ପ୍ରତି ଆଉ ଖରାପ ବ୍ୟବହାର ପ୍ରଦର୍ଶନ କରିବେ ନାହିଁ ବୋଲି କହୁଛନ୍ତି । ପୀଡ଼ିତାଙ୍କୁ କ୍ଲାସ୍ ଆସିବାକୁ କହିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।