କନକ ବ୍ୟୁରୋ : ସେଦିନ ଥିଲା ୨୮ ଜାନୁୟାରୀ ୨୦୨୫ । ସ୍ଥାନ ଭୁବନେଶ୍ୱରର ଲିଙ୍ଗିପୁର ନଦୀବନ୍ଧ । ମିଳିଲା ଗଳିତ ମୃତଦେହ । ମୁଣ୍ଡର ଖପୁରୀ ହାଡ ଦିଶୁଥଲା ଆଉ ଅଧା ଦେହ ନଷ୍ଟ ହୋଇ ସାରିଥିଲା । ଅନ୍ତବସ୍ତ୍ର ଦେଖି ଅନୁମାନ ଲଗାଯାଇଥିଲା ଏ ମୃତଦେହ ଟି ଜଣେ ଯୁବତୀଙ୍କର ବୋଲି । କ୍ରାଇମସିନ ଦେଖି ପୁଲିସ କହିଲା ଏହା ଏକ ଅପମୃତ୍ୟୁ ମାମଲା ବୋଲି । କିନ୍ତୁ ତଦନ୍ତ ପରେ, ଯାହା ସାମନାକୁ ଆସିଲା ତାହା ଧଉଳି ପୁଲିସର ହୋସ୍ ଉଡାଇ ଦେଲା ଭଳି । ଜାନୁୟାରୀ ୧୦ ତାରିଖରୁ ଜଣେ ଯୁବତୀ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ପରିବାର ।
ମିଳିଲା ପରିଚୟ, ଯୁବତୀ ହେଉଛନ୍ତି ସ୍ନେହା ବେହେରା । ଅପମୃତ୍ୟୁ ନୁହେଁ ବରଂ ଏ ଥିଲା ବର୍ବରଚିତ ହତ୍ୟାକାଣ୍ଡ । ଅଭିଯୁକ୍ତ ଚନ୍ଦନ ପରିଡ଼ା ପେଶାରେ ସିକ୍ୟୁରିଟି ଗାର୍ଡ । ସ୍ନେହାଙ୍କୁ ଦୀର୍ଘଦିନ ହେବ ଭଲ ପାଉଥିଲା ଚନ୍ଦନ । ସ୍ନେହା ବିବାହ କରିବାକୁ କହିବାରୁ ଚନ୍ଦନ ମୁଣ୍ଡରେ ଭୂତ ସବାର ହୋଇଥିଲା । ଆଉ ରଚିଥିଲା ହତ୍ୟାକାଣ୍ଡର ଷଡଯନ୍ତ୍ର । ଭୁଲେଇ ଭାଲେଇ ଧଉଳି ରାସ୍ତାକୁ ନେଇଥିଲା । ଲିଙ୍ଗପୁର ନଦୀ ପଠାରେ ଜାଣିଶୁଣି ଝଗଡା ବି କରିଥିଲା । ଆଉ ସୁଯୋଗ ଦେଖି ଓଢଣୀରେ ସ୍ନେହାଙ୍କୁ ତଣ୍ଟିଚିପି ସବୁଦିନ ପାଇଁ ଶେଷ କରିଦେଲା ।
ସେପଟେ ମୃତଦେହ ମିଳିବା ପରେ, ପୁଲିସ ତଦନ୍ତକୁ ବାଟମଣା କରିଥିଲା ଚନ୍ଦନପୁରର ଜଣେ ଯୁବକ ମିଟୁ ପରିଡ଼ା । ଯାହାର ଏହି ହତ୍ୟାକାଣ୍ଡ ସହିତ କୌଣସି ସଂପୃକ୍ତି ନଥିଲା । ନିଜ ସ୍ତ୍ରୀ ଉପରେ ରାଗ ରଖି ଆଉ ଜଣେ ବ୍ୟକ୍ତିଙ୍କର ଆଧାରକାର୍ଡ ଏବଂ ମିଛ ସୁଇସାଇଟ୍ ନୋଟ କ୍ରାଇମସିନରେ ପକାଇଥିଲା ।
ହତ୍ୟାକାରୀକୁ କ୍ରାଇମସିନ୍କୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା ପୁଲିସ । ନିଜ ପ୍ରେମିକାକୁ କେମିତି ହତ୍ୟା କରିଥିଲା ତାହା ଗୋଟି ଗୋଟି କରି ପୁଲିସ ଆଗରେ କହିଥିଲା ଅଭିଯୁକ୍ତ । ଅଭିଯୁକ୍ତକୁ ପୁଲିସ କୋର୍ଟ ଚାଲାଣ କରିଛି ।