କନକ ବ୍ୟୁରୋ: ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ନେଇ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ପିଲାଙ୍କୁ ପାଠ ପଢ଼ିବାକୁ ପଠାଉଛନ୍ତି ଅଭିଭାବକ । ସୁରକ୍ଷିତ ସ୍ଥାନ ଭାବି ନିର୍ଭୟରେ ଛାଡ଼ୁଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକ ଛାତ୍ରୀମାନେ ନିର୍ଯାତନାର ଶିକାର ହେଉଛନ୍ତି । ବିଧାନସଭାରେ ଏନେଇ ବିଭାଗୀୟ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ । 

Advertisment

ଏଫଏମ କଲେଜ୍ ଭଳି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ ନିର୍ଯାତନାର ଶିକାର ହୋଇଛନ୍ତି । ପାଠ ପଢ଼ିବାକୁ ଯାଇଥିବା ଝିଅ ଶାରୀରିକ, ମାନସିକ ଓ ଯୌନ ନିର୍ଯାତନାର ଶିକାର ହେଉଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ, ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୬ଟିରୁ ନିର୍ଯାତନା ଅଭିଯୋଗ ଆସିଛି । ୧୯ଜଣ ଛାତ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୭ଟି ମାମଲା ରହିଛି। । ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର, ରାଜେନ୍ଦ୍ର ନାରାୟଣ, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ତିନିଟି ଲେଖାଏଁ ମାମଲା ରହିଛି ।  ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ବି ବାଦ ପଡ଼ିନି । ଏଭଳି ତଥ୍ୟକୁ ନେଇ ଉଦବେଗ ପ୍ରକାଶ ପାଇଛି । 

ବିଶ୍ୱବିଦ୍ୟାଳୟ କି କଲେଜ ନୁହେଁ ସ୍କୁଲରେ ବି ଛାତ୍ରୀ ନିର୍ଯାତନାର ଶିକାର ହେଉଛନ୍ତି । ଗଣଶିକ୍ଷା ମନ୍ତ୍ରୀ ବିଧାନସଭାରେ ରଖିଥିବା ଲିଖିତ ଉତ୍ତର ଅନୁସାରେ, ରାଜ୍ୟର ୯ ଜିଲ୍ଲାରେ ଛାତ୍ରୀ ନିର୍ଯାତନାର ୩୨ଟି ମାମଲା ରୁଜୁ ହେଇଛି । କନ୍ଧମାଳ ଜିଲ୍ଲାରେ ବାଲିଗୁଡ଼ା ସରକାରୀ ହାଇସ୍କୁଲରେ ସର୍ବାଧିକ ୧୧ଟି ମାମଲା ରହିଛି । ସୁନ୍ଦରଗଡ଼ ଜିଲ୍ଲାରେ ୪ଟି ଛାତ୍ରୀ ନିର୍ଯାତନା ମାମଲା ରହିଛି । ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଦୁଇଟି ଲେଖାଏଁ ମାମଲା ରହିଛି । ସେହିପରି ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି, ମାଲକାନଗିରି, ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାରେ ଗୋଟାଏ ଲେଖାଏଁ ମାମଲା ରହିଛି । ମନ୍ତ୍ରୀ ଲିଖିତ ଭାବେ ଏହି ତଥ୍ୟ ରଖିଥିଲେ ବି ବାସ୍ତବରେ ଛାତ୍ରୀ ନିର୍ଯାତନା ସଂଖ୍ୟା ଢେର ଅଧିକ ।