କନକ ବ୍ୟୁରୋ: ଆମ ଦେଶ ଓ ରାଜ୍ୟ ବିକାଶ କରୁଛି, ଆଗକୁ ବଢ଼ୁଛି । ଏନେଇ ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ବାସ୍ତବ ସ୍ଥିତି କିଛି ଭିନ୍ନ । ବିକାଶ ତ’ ଦୂରର କଥା, ଆଜି ଏମିତି ଅନେକ ସ୍ଥାନ ଅଛି ଯେଉଁଠି ରାସ୍ତାଟିଏ ନାହିଁ । ଜୀବନରେ ବାଜି ଲଗାଇ ଭରା ନାଳରେ ପାର ହେଉଛନ୍ତି ଲୋକେ । ଅନୁଗୁଳ ଜିଲ୍ଲାର ବୃନ୍ଦାବନପୁର ସାହିରୁ ଦେଖିବାକୁ ମିଳିଥିଲା ବିକଶିତ ଓଡ଼ିଶାର ବାସ୍ତବ ଚିତ୍ର ।
ନାଳ ପାର୍ ହେଲେ ପାଠ ପଢ଼ୁଛନ୍ତି ପିଲାଏ । ପାଠ ପଢ଼ିବା ପାଇଁ ବାଜିରେ ଲାଗିଛି ଜୀବନ । ସାଇକେଲ୍ ଧରି ଭରା ନାଳ ପାର ହେଉଛନ୍ତି କୁନିକୁନି ପିଲା । ଟିକେ ଏପଟ ସେପଟ ହେଲେ ଅଘଟଣ ଘଟିବା ଭୟ ରହିଛି । ହେଲେ ବିକଳ୍ପ ବ୍ୟବସ୍ଥା ନଥିବାରୁ ଏହି ବାଟ ଦେଇ ଯାଉଛନ୍ତି ପିଲା। ବର୍ଷାଦିନେ ନାଳରେ ପାଣିର ସୁଅ ପଡ଼ିଲେ ରଶି ଧରି ନାଳ ପାରି ହେବାକୁ ପଡ଼ୁଛି ।
ଅନୁଗୁଳ ଜିଲ୍ଲାର ମାଣିକଯୋଡ଼ି ପଞ୍ଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଗାଁ। ୨୦ରୁ ଅଧିକ ପରିବାର ଥିବା ଗାଁ ଲୋକଙ୍କୁ ଯାତାୟାତ କରିବା ପାଇଁ ନାଳ ଉପରେ ନିର୍ଭର କରିବାକୁ ପଡ଼େ । ପୋଲଟିଏ ନିର୍ମାଣ ପାଇଁ ଦାବି ପରେ ବି କେହି ଶୁଣୁନାହାନ୍ତି । କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି, ହେଲେ କାମ ହେଉନି । ଏନେଇ ବିଡିଓଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।