କନକ ବ୍ୟୁରୋ : ସାରା ବିଶ୍ୱରେ କର୍କଟ ଏକ ମହାମାରୀ ଭାବେ ମାଡ଼ି ଚାଲିଛି । ଭାରତୀୟଙ୍କ ଜୀବନକାଳ ଭିତରେ କର୍କଟ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇ ୧୧ ପ୍ରତିଶତରେ ପହଂଚିଛି । ଏନେଇ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର୍ ଏକ ଅଧ୍ୟୟନ ରିପୋର୍ଟ ଜାରି କରିଛି । ଏଥିରେ କୁହାଯାଇଛି କି ମିଜୋରାମରେ କର୍କଟ ବିପଦ ଦୁଇଗୁଣା ବଢଦ୍ଧି ପାଇଛି । ଯାହା ମଧ୍ୟରେ ପୁରୁଷଙ୍କ ପାଇଁ ୨୧.୧ ଓ ମହିଳାଙ୍କ ପାଇଁ ୧୮.୯ ପ୍ରତିଶତ ରହିଛି । ବଡ଼ ମହାନଗରଗୁଡିକ ମଧ୍ୟରେ ଦିଲ୍ଲୀରେ ପୁରୁଷଙ୍କଠାରେ କର୍କଟ ହାର ସର୍ବାଧିକ ଥିବା ବେଳେ ଶ୍ରୀନଗରରେ ଫୁସଫୁସ୍ କର୍କଟ ରୋଗ ସର୍ବାଧିକ ରହିଛି ।
ଭାରତର ଡାକ୍ତରୀ ଗବେଷଣା ପ୍ୟାନେଲର ଏହି ଗବେଷଣାରେ ଦେଶରେ ବଢୁଥିବା କର୍କଟ ମାମଲାକୁ ନେଇ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ନ୍ୟାସନାଲ କ୍ୟାନସର ରେଜିଷ୍ଟ୍ରି ପ୍ରୋଗ୍ରାମ ଇନଭେଷ୍ଟିଗେଟର ଗ୍ରୁପର ନେତୃତ୍ୱ ନେଇଥିଲା । ଯେଉଁଥିରେ ଆଇସିଏମଆର୍, ଟାଟା ମେମୋରିଆଲ ସେଣ୍ଟର ଓ ଡକ୍ଟର ବିଆର ଆମ୍ବେଦକର ଇନଷ୍ଟିଚ୍ୟୁଟ୍, ରୋଟାରୀ କ୍ୟାନସର ହସ୍ପିଟାଲ ଓ ଦିଲ୍ଲୀ ଏମ୍ସର ବୈଜ୍ଞାନିକମାନେ ସାମିଲ ଥିଲେ । ୪୩ ଟି ଜନସଂଖ୍ୟା ଭିତ୍ତିକ କର୍କଟ ପଞ୍ଜୀକରଣର ତଥ୍ୟକୁ ବ୍ୟବହାର କରି ସମଗ୍ର ଭାରତରେ ୭ ଲକ୍ଷରୁ ଅଧିକ କର୍କଟ ମାମଲା ଏବଂ ୨ ଲକ୍ଷରୁ ଅଧିକ ମୃତ୍ୟୁର ବିଶ୍ଳେଷଣ କରିଥିଲେ ।
ମିଜୋରାମ ଆଇଜଲ ଜିଲ୍ଲାର ପ୍ରତି ୧ ଲକ୍ଷ ପୁରୁଷରେ ୨୫୬ ଓ ପ୍ରତି ୧ ଲକ୍ଷ ମହିଳାରେ ୨୧୭ ଜଣ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି । ପୁରୁଷମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ କର୍କଟ ମୁଖଗହ୍ୱର, ଫୁସଫୁସ୍ ଓ ପ୍ରୋଷ୍ଟେଟ୍ କର୍କଟ ହୋଇଥିବା ବେଳେ ମହିଳାମାନଙ୍କ କ୍ଷେତ୍ରରେ ଏହା ସ୍ତନ, ଗର୍ଭାଶୟ, ଗ୍ରୀବା ଓ ଡିମ୍ବାଶୟ କର୍କଟ ଥିଲା । ମୁଖଗହ୍ୱର କର୍କଟରେ ଏକ ଚିନ୍ତାଜନକ ଧାରା ଦେଖିବାକୁ ମିଳିଥିଲା । ଅହମଦାବାଦରେ ମୁଖଗହ୍ୱର କର୍କଟ ପୁରୁଷଙ୍କ ଠାରେ ୪.୭ ପ୍ରତିଶତ ଓ ମହିଳାଙ୍କ ଠାରେ ୬.୯ ପ୍ରତିଶତ ବୃଦ୍ଧି ପାଇଛି । ଜାମା ନେଟୱର୍କ ଓପନରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି କି, ଦେଶର କେତକ ସ୍ଥାନରେ ସାମଗ୍ରିକ କର୍କଟ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କେବଳ ୨୦୨୪ ରେ ଭାରତରେ ପ୍ରାୟ ୧୫ ଲକ୍ଷ ୬୨ ହଜାର ୯୯ ଜଣ ନୂତନ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଏହି ରୋଗରେ ୮ ଲକ୍ଷ ୭୪ ହଜାର, ୪୦୪ ଜଣଙ୍କର ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ ଭାରତରେ କର୍କଟ ନିୟନ୍ତ୍ରଣ କରିବା ପାଇଁ ସଚେତନତା, ପ୍ରତିରୋଧ, ଓ ଶୀଘ୍ର ଚିହ୍ନଟ ଉପରେ ଧ୍ୟାନ ଦେବାକୁ ମିଳିତ ପ୍ରୟାସ ଆବଶ୍ୟକ । ପ୍ରତିରୋଧ ସହିତ କର୍କଟ ଚିକିତ୍ସାରେ ଉନ୍ନତି ଆଣିବା ଓ ସେବାକୁ ବିସ୍ତାର କରିବା ଜରୁରୀ ।