କନକ ବ୍ୟୁରୋ : ଓଡ଼ିଶାରେ ଲୁଚିଛି ବେଙ୍ଗାଳୁରର ବହୁ ଚର୍ଚ୍ଚିତ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ଅଭିଯୁକ୍ତ । ୨୯ ବର୍ଷିୟ ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ତାଙ୍କର ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ଫ୍ରିଜରେ ରଖିଥିଲା ଅଭିଯୁକ୍ତ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଓଡ଼ିଶାରେ ଲୁଚିଥିବା ନେଇ କର୍ଣ୍ଣାଟକର ଗୃହମନ୍ତ୍ରୀ ଜି ପରମେଶ୍ବର ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଓଡ଼ିଶା ଆସୁଥିବା ସୂଚନା ମିଳିଛି । ଫୋନ ଟ୍ରାକ କରି ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିସାରିଛି । କିନ୍ତୁ ସେ ସୁବବେଳେ ସ୍ଥାନ ପରିବର୍ତ୍ତନ କରୁଛି । ତାକୁ ଧରିବାକୁ ପୁଲିସ ସବୁ ଚେଷ୍ଟା ଚଳାଇଥିବା କର୍ଣ୍ଣାଟକ ଗୃହମନ୍ତ୍ରୀ କହିଛନ୍ତି । ଗତ ଶନିବାର ଫ୍ରିଜ୍ ଭିତରୁ ମହାଲକ୍ଷ୍ମୀଙ୍କ ମୃତଦେହ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।  ଅଭିଯୋଗ ପରେ ପୁଲିସ ୨ରୁ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତଦନ୍ତ ପରେ ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ଓଡ଼ିଶାରେ ଲୁଚିଥିବା ସୂଚନା ମଳିଛି। ଗତକାଲି ମହାଲକ୍ଷ୍ମୀଙ୍କ ସ୍ବାମୀ ଏହି ହତ୍ୟାକାଣ୍ଡ ପଛରେ ଅନ୍ୟ ଜଣେ ପୁରୁଷଙ୍କ ହାତ ଥିବା ସନ୍ଦେହ ପ୍ରକାଶ କରିଥିଲା। ଯିଏ ମହାଲକ୍ଷ୍ମୀଙ୍କ ପଡୋସୀ ଭାବେ ସେହି ବିଲ୍ଡିଂରେ ରହୁଥିଲା ।