Shocking Crime Photograph: (Kanak News)
କନକ ବ୍ୟୁରୋ : ରାଜ୍ୟରେ ବଢ଼ିବାରେ ଲାଗିଛି ନାରୀ ନିର୍ଯାତନା । ଅନୁଗୁଳ ଜିଲ୍ଲାରୁ ଆସିଛି ଏକ ହୃଦୟବିଦାରକ ଖବର । ଜଣେ ୧୩ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଶାଗ ତୋଳିବାକୁ ଯାଇଥିବା ବେଳେ ଏହି ନରରାକ୍ଷସର ଶିକାର ହୋଇଛନ୍ତି ଜଣେ କୋମଳମତି ଶିଶୁ । ପୁଲିସ ଏବେ ଘଟଣାର ଛାନଭିନ୍ ଜାରି ରଖିଥିବା ବେଳେ ପୂରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା । ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଅଞ୍ଚଳରେ। ମୃତ ନାବାଳିକାଙ୍କ ବୟସ ମାତ୍ର ୧୩ ବର୍ଷ ।
ଅଧିକ ପଢ଼ନ୍ତୁ : ଭିଜିଲାନ୍ସ ଜାଲରେ ଆରଆଇ; ପଟା ସଂଶୋଧନ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ
ଗତକାଲି ନାବାଳିକା ନିଜ ବାଡ଼ି ପଛପଟକୁ ଶାଗ ତୋଳିବା ପାଇଁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ କୌଣସି ପତ୍ତା ନପାଇବାରୁ ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି ସକାଳେ ଗାଁ ପାଖ ଏକ ଘାସ ବଣରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ସେହି ଗ୍ରାମର ୨୨ ବର୍ଷୀୟ ବିବାହିତ ଯୁବକ ଆଶିଷ ନାଏକ ପୂର୍ବରୁ ଛକି ବସିଥିଲା । ଝିଅ ଏକୁଟିଆ ଥିବାର ସୁଯୋଗ ନେଇ ସେ ତାଙ୍କୁ ଟେକି ନେଇଥିଲା ଏବଂ ଦୁଷ୍କର୍ମ କରିବା ପରେ ଧରାପଡ଼ିଯିବା ଭୟରେ ତାଙ୍କୁ ଜୀବନରୁ ମାରିଦେଇଥିଲା ।
ଘଟଣାସ୍ଥଳରେ ଏନଟିପିସି ଥାନା ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ସ୍ପଷ୍ଟ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି । ମୁଖ୍ୟ ଅଭିଯୁକ୍ତ ଆଶିଷ ନାଏକ ବର୍ତ୍ତମାନ ଫେରାର ଥିବା ବେଳେ, ପୁଲିସ ତାର ବଡ଼ ଭାଇ ଏବଂ ମା’ଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଚାପା ଉତ୍ତେଜନା ସୃଷ୍ଟି କରିଛି । ତେବେ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
Follow Us