କନକ ବ୍ୟୁରୋ :  ବିନା କେମିକାଲରେ ତିଆରି କରୁଛନ୍ତି ସାବୁନ୍, ସାମ୍ପୋ, ବଡି ୱାସ୍ ଓ ହେୟାର ଅଏଲ । ବାଲେଶ୍ଵରର ଶିବାନୀ ସମାଦାର୍। ଶିକ୍ଷାଗତ ଯୋଗ୍ୟତା ଏମ୍‌. ଫାର୍ମ । ପାଠ ପଢ଼ା ସରିବା ପରେ ଚାକିରୀ ନକରି ଉଦ୍ୟୋଗୀ ହେବାକୁ ଲକ୍ଷ୍ୟ ରଖିଥିଷଲ ଶିବାନୀ । ହେଲେ ପାଠ ପଢ଼ା ସରୁ ସରୁ ବିବାହ ହୋଇ ଯାଇଥିଲା । ତାପରେ ଦୁଇ ଜାଆଁଳା ଶିଶୁର ମା’ ବନିଲେ । ପରିବାର ଦାୟିତ୍ଵରେ ଛନ୍ଦି ହୋଇ କର୍ତ୍ତବ୍ୟ କରି ଚାଲିଲେ। ଏବେ ପିଲାମାନେ  ବଡ଼ ହୋଇଥିବା ବେଳେ ସ୍କୁଲ ମଧ୍ୟ ଗଲେଣି । ଆଉ ଘର କାମରୁ ସମୟ ବାହାର କରି ସ୍ବାମୀଙ୍କ ସହାୟତାରେ ୨୦୨୧ରୁ ଆରମ୍ଭ କରିଛନ୍ତି ହାତ ତିଆରି ସାବୁନ ବ୍ୟବସାୟ ।  

Advertisment

ଆଗରୁ ଏହି ସବୁ ସାମଗ୍ରୀ ନିଜେ ତିଆରି କରି ନିଜେ ବ୍ୟବହାର କରିବା ସହ ସାଙ୍ଗ ସାଥୀ ଓ ବନ୍ଧୁ ବାନ୍ଧବଙ୍କୁ ଦେଉଥିଲେ। ସେଥିରେ ବେଶ୍ ସଫଳତା ମିଳିଲା। ପ୍ରଥମେ ୫୦ ହଜାର ଟଙ୍କା ପୁଞ୍ଜି ନିବେଶ କରି ଆରମ୍ଭ କରିଥିଲେ । ଏବେ ବାର୍ଷିକ ୭ରୁ ୮ ଲକ୍ଷ ଟଙ୍କାରେ ପହଂଚିଲାଣି ବ୍ୟବସାୟ । ତାଙ୍କ ଉଦ୍ୟମରେ ତିଆରି ହେଉଛି ସାବୁନ୍, ସ।ମ୍ପୋ ଓ ବଡି ୱାସ୍ । ପ୍ରଥମେ ପ୍ରଥମେ ଜିନିଷ ତିଆରି କରିବା ପରେ ବିକ୍ରୀ କରିବାକୁ ଯଥେଷ୍ଟ ସଙ୍ଘର୍ଷ କରିବାକୁ ପଡୁଥିଲା। ଧୀରେ ଧୀରେ ତାଙ୍କ ସାମଗ୍ରୀର ଚାହିଦା ବଢିଲା। ନିଜ ତିଆରି ଜିନିଷ ମିଶନ ଶକ୍ତି ବଜାର, ହୋଟେଲ ଓ ପାର୍ଲର ତଥା ମେଳା ଆଦିରେ ବିକ୍ରୀ କରୁଛନ୍ତି ଶିବାନୀ। ବିଭିନ୍ନ ପ୍ରକାରର ସାବୁନ୍ ତିଆରି କରି ତାକୁ ଶୁଖାଇ ପ୍ୟାକ୍ କରି ବିକ୍ରୀ ପାଈଁ ପଠାଉଛନ୍ତି। ଏବେ ତାଙ୍କ ପାଖରେ କାମ କରି ୫ଜଣ ମହିଳା ଆତ୍ମନିର୍ଭର ହୋଇଛନ୍ତି । ସେମାନଙ୍କୁ ତାଲିମ ଦେବା ସହ ରୋଜଗାର ଦେଇଛନ୍ତି ଶିବାନୀ । 

 ଆଗକୁ ଏହି ବ୍ୟବସାୟ ବଢ଼ାଇ ଆଉ କିଛି ନୂଆ ସାମଗ୍ରୀ ତିଆରି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଆହୁରି ଅଧିକରୁ ଅଧିକ ମହିଳାଙ୍କୁ ମଧ୍ୟ ଏହି କାମରେ ଯୋଡ଼ି ସେମାନଙ୍କୁ ରୋଜଗାରର ରାସ୍ତା ଦେଖାଇବାକୁ ତାଙ୍କର ଇଛା ଥିବା କହିଛନ୍ତି ଶିବାନୀ ସମାଦାର ।