କନକ ବ୍ୟୁରୋ :  ସୋମବାର ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ  ରହିଥିବା ୩୫ ଫୁଟ ଉଚ୍ଚ ଛତ୍ରପତି ଶିବାଜୀ ମହାରାଜଙ୍କ ଷ୍ଟାଚ୍ୟୁ ହଠାତ ଭୁଶୁଡ଼ି ପଡ଼ିଥିଲା । ଯାହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମହାରାଷ୍ଟ୍ର ସମେତ ସାରା ଦେଶରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କାରଣ ମାତ୍ର ୮ ମାସ ତଳେ ଏହି ଷ୍ଟାଚ୍ୟୁର ଅନବାରଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବେ ଏହି ଅଘଟଣ ପରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । 

Advertisment

ସେପଟେ କଂଗ୍ରେସ ସହ ସ୍ବର ମିଳାଇଛି ଉଦ୍ଧବ ଠାକରେଙ୍କ ଶିବସେନା । ମହାରାଷ୍ଟ୍ରର ଅସ୍ମିତାକୁ ବଡ଼ ଆଘାତ ଦେଇଛି ବିଜେପି ବୋଲି କହିଛି ଶିବସେନା । 

ସିନ୍ଧୁ ଦୁର୍ଗର ନୌସେନା ପୋର୍ଟରେ ଥିବା ଏହି ବିଶାଳକାୟ ଷ୍ଟାଚ୍ୟୁ କେମିତି ଭୁଶୁଡ଼ିଲା ତାହା ଜଣାପଡ଼ିନାହିଁ। କିନ୍ତୁ ସେଠାରେ ଗତ ୨ରୁ ୩ ଦିନ ହେଲା ଲଗାଣ ବର୍ଷା ସହ ପବନ ବହୁଥିବାର ସୂଚନା ରହିଛି । ତେବେ ଘଟଣାରେ ତନ୍ଦନ୍ତ ପାଇଁ ନୌସେନା ନିର୍ଦ୍ଦେଶ ଦେଇଛି । ନିର୍ବାଚନ ସମୟରେ ବିରୋଧୀଙ୍କୁ ରାଜନୈତିକ ଫାଇଦା ନଉଠାଇବା ଲକ୍ଷ୍ୟ ରଖି ସିନ୍ଦେ ସରକାର ଷ୍ଟାଚ୍ୟୁ ନିର୍ମାଣ କରିଥିବା ଠିକାଦାର ଓ ଦାୟିତ୍ୱ ନେଇଥିବା ଅଧିକାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । 

ଗତବର୍ଷ ଡିସେମ୍ବର ୪ ନୌସେନା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଜରିଆରେ ଏହି ଷ୍ଟାଚ୍ୟୁର ଅନାବରଣ କରିଥିଲେ। କିନ୍ତୁ ଅନାବରଣକୁ ବର୍ଷେ ପୂରି ନଥିବା ବେଳେ ସୋମବାର ଦିନ ୧ଟା ବେଳେ ଷ୍ଟାଚ୍ୟୁଟି ଭୁଶୁଡ଼ି ପଡ଼ିଥିଲା। ଯାହାକୁ ନେଇ ମହାରାଷ୍ଟ୍ରରେ ଅସନ୍ତୋଷ ଓ ରାଜନୀତି ଜୋର ଧରିଛି ।