କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିିରେ ଘଡିକେ ଘୋଡା ଛୁଟୁଛି । ସରକାରରେ ଥିବା ମହାୟୁତି ମେଣ୍ଟରେ ଫାଟ ଏବେ ଜଳ ଜଳ ହୋଇ ଦିଶୁଛି । ସରକାରରେ ଅର୍ଥମନ୍ତ୍ରୀ ଥିବା ଅଜିତ୍ ପାୱାରଙ୍କ ବିରୋଧରେ ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନିକଟରେ ଅଭିଯୋଗର ପାହାଡ ଠିଆ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି ସିନ୍ଦେ ଗୋଷ୍ଠୀ ଶିବସେନା ମନ୍ତ୍ରୀମାନେ । ସେମାନେ ଅଭିଯୋଗ କରିଛନ୍ତି ଅର୍ଥମନ୍ତ୍ରୀ ଅଜିତ୍ ପାୱାର ସେମାନଙ୍କୁ ସେମାନଙ୍କ ପାଣ୍ଠିରୁ ବଞ୍ଚିତ କରୁଛନ୍ତି । ଯାହା ମେଣ୍ଟରେ ଆଭ୍ୟନ୍ତରୀଣ କଳହ ସୃଷ୍ଟି କରୁଛି । ମୁମ୍ବାଇର ସହ୍ୟାଦ୍ରି ଗେଷ୍ଟ ହାଉସରେ ରାଜ୍ୟ କ୍ୟାବିନେଟ ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ସିନ୍ଦେ ତାଙ୍କ ମନ୍ତ୍ରୀମାନଙ୍କ ସହିତ ଏକ ସମ୍ମିଳନୀ କରିଥିଲେ । ଏହି ସମ୍ମିଳନୀରେ ଏଭଳି ଅଭିଯୋଗ ଆସିଛି । ବୈଠକରେ ପୂର୍ବ ମୁଖ୍ୟମନ୍ତ୍ରୀ ସିନ୍ଦେ ପ୍ରତ୍ୟକ ମନ୍ତ୍ରୀଙ୍କ ସହିତ ଆଲୋଚନା ସହିତ ସେମାନଙ୍କ ବିଭାଗର ପ୍ରଗତି ସମୀକ୍ଷା କରିଥିଲେ ।
ସୂତ୍ର ଅନୁସାରେ ଦଳର ଅନେକ ମନ୍ତ୍ରୀ ଅନ୍ୟ ଜଣେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଅଭିଯୋଗ ଅନୁଯାଇ ରାଜ୍ୟ ଅର୍ଥମନ୍ତ୍ରୀ ଅଜିତ ପାୱାର ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ମନ୍ତ୍ରୀମାନେ କହିଥିଲେ , ଅଜିତ ପାୱାର ଟଙ୍କା ଦେବେ ନାହିଁ ତେବେ ସେମାନଙ୍କ ବିଭାଗର କିପରି କାମ କରିବେ ?
ମାତ୍ର ସିନ୍ଦେ ତାଙ୍କ ମନ୍ତ୍ରୀମାନଙ୍କୁ ସାର୍ବଜନୀନ ଉପଯୋଗୀ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଓ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାକୁ କହିଛନ୍ତି । ପୂର୍ବ ଫାଇଲଗୁଡ଼ିକର ଶୀଘ୍ର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି । ସର୍ବସମ୍ମତିକ୍ରମେ ମନ୍ତ୍ରିମାନେ କିନ୍ତୁ ଦାବି କରିଥିଲେ ସମସ୍ତଙ୍କୁ ସରକାରରେ ସମାନ ଅଧିକାର ଦେବା ଦରକାର ।
ସୂତ୍ର ସୂଚନା ମୁତାବକ ଏକନାଥ ସିନ୍ଦେ ମନ୍ତ୍ରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି । ଅଜିତ ପାୱାର ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସହ ସେ କଥା ହୋଇ ସମାଧାନ କରିବେ । ପୂର୍ବରୁ ଶିବସେନାର ସାମାଜିକ ନ୍ୟାୟ ବିଭାଗର ମନ୍ତ୍ରୀ ସଞ୍ଜୟ ଶିରସାତ ରାଜ୍ୟ ଅର୍ଥ ମନ୍ତ୍ରଣାଳୟକୁ ଲାଡଲି ବେହନ ଯୋଜନାରେ କିସ୍ତି ଦେବା ନେଇଁ ସମାଲୋଚନା କରିଥିଲେ । ପାଣ୍ଠି ସ୍ଥାନାନ୍ତରଣ ଭଳି ଅଭିଯୋଗ କରିଥିଲେ ଯାହା ବେଆଇନ ଏବଂ ଅନ୍ୟାୟ ଅଟେ ।
ସୋମବାର ଅଜିତ ପାୱାର ଗତ ବର୍ଷ ଆରମ୍ଭ ହୋଇଥିବା ଲାଡଲି ବେହନ ଯୋଜନାର ସମସ୍ତ ମହିଳା ଆବେଦନକାରୀଙ୍କୁ ଆର୍ଥିକ ସହାୟତା ବଣ୍ଟନ କରିବାରେ ଭୁଲ୍ ସ୍ୱୀକାର କରିଛନ୍ତି । ଯାଞ୍ଚ ମାଧ୍ୟମରେ ସଂଶୋଧନ କରାଯିବ, ଯାହା ଦ୍ୱାରା କେବଳ ପ୍ରକୃତ ହିତାଧିକାରୀମାନେ ସହାୟତା ପାଇବେ ବୋଲି ପାୱାର କହିଛନ୍ତି । ଲାଡଲୀ ବେହନ ଯୋଜନା ଅଧୀନରେ , ୨୧-୬୫ ବର୍ଷର ନିମ୍ନ ଆୟ ବର୍ଗର ମହିଳାମାନେଙ୍କ ପରିବାରକୁ ମାସିକ ୧୫୦୦ ଟଙ୍କା ଭତ୍ତା ମିଳୁଛି ।
ଏଭଳି ପରିସ୍ଥିତି ଦେଖି ଉଭୟ ଜନସାଧାରଣ ଓ ସରକାର ଚିନ୍ତିତ । ମେଣ୍ଟରେ କଳହ ଆଗକୁ ଫଡନଭିସ୍ ସରକାରକୁ ଦୁର୍ବଳ କରିପାରେ ବୋଲି ରାଜନୀତିଜ୍ଞ ମାନେ ମତ ଦେଉଛନ୍ତି ।