କନକ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା । ଅଶ୍ଳୀଳ ସିନେମା ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ରାଜ କୁନ୍ଦ୍ରାଙ୍କ ଘର ସମେତ କାର୍ୟ୍ୟାଳୟରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କୁନ୍ଦ୍ରାଙ୍କ ମୁମ୍ବାଇ ସ୍ଥିତ ସାନ୍ତାକ୍ରୁଜ୍ ବାସଭବନ ସମେତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ରେଡ୍‌ କରାଯାଇଛି । ଆଜି ସକାଳୁ ସକାଳୁ ଶିଳ୍ପା ସେଟ୍ଟୀଙ୍କ ଘରେ ପହଞ୍ଚିଥିଲେ ଇଡି ଅଧିକାରୀ । ତଦନ୍ତ ବେଳେ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଛି । ମାମଲାରେ କୁନ୍ଦ୍ରାଙ୍କ ସହଯୋଗୀଙ୍କୁ ମଧ୍ୟ ପରିସରଭୁକ୍ତ କରାଯାଇଛି । 
 ପର୍ଣ୍ଣୋଗ୍ରାଫି ମାମଲାରେ ପୂର୍ବରୁ ଗିରଫ ହୋଇଥିଲେ ରାଜ କୁନ୍ଦ୍ରା । ୨୦୨୧ରେ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ୨ ମାସ ଜେଲରେ ରହିବା ପରେ ସେପ୍ଟେମ୍ବରରେ ତାଙ୍କୁ ଜାମିନ ମିଳିଥିଲା । ଏହି ମାମଲାରେ କୁନ୍ଦ୍ରା ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବାରୁ ଏବେ ପୁଣି ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି । ମୁମ୍ବାଇ ଓ ଉତ୍ତରପ୍ରଦେଶର ପ୍ରାୟ ୧୫ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଅଭିଯୋଗ ଅନୁସାରେ ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି ଭିଡିଓ ତିଆରି କରିବା ସହ ଏହାକୁ ବିତରଣ କରୁଥିଲେ। ମୋବାଇଲ୍ ଆପ୍ ଜରିଆରେ ଏସବୁ ଭିଡିଓ ପଠା ଯାଉଥିଲା। ଏଥିରୁ ସେ ବିପୁଳ ଅର୍ଥ ଉପାର୍ଜନ କରୁଥିଲେ । ଘଟଣା ଜଣାପଡ଼ିବା ପରେ ଏହାର ଯାଞ୍ଚ କରାଯାଇ ଏହି ସବୁ ଆପକୁ ହଟାଇ ଦିଆଯାଇଛି। ଏବେ ପୁଣି ଥରେ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି ଇଡି । ଯାହା ରାଜ କୁନ୍ଦ୍ରାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି ।