କନକ ବ୍ୟୁରୋ : ଋଣ ପ୍ରଦାନ ନାଁରେ ମହାଘୋଟାଲା । ମାଲକାନଗିରି କୋରକୋଣ୍ଡା ବ୍ଲକର ପ୍ରାୟ ୪୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ଋଣ ପ୍ରଦାନ ଆଳରେ କୋଟିକୋଟି ଟଙ୍କା ଲୁଟିନେଲେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମ୍ୟାନେଜର । ଏନେଇ ବ୍ୟାଙ୍କ, ବ୍ଲକ ଅଫିସ୍ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ନିକଟରେ ଜଣାଇ ନିରାଶ ହେବା ପରେ ଶେଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏସ୍ଏଚ୍ଜି ମହିଳା ।
ମାଲକାନଗିରି କୋରୁକୋଣ୍ଡା ବ୍ଲକର ୪୦ରୁ ଅଧିକ ଏସ୍ଏଚ୍ଜିକୁ ବିଭିନ୍ନ ପ୍ରକଳ୍ପ ପାଇଁ ୪ ରୁ ୬ ଲକ୍ଷ ଟଙ୍କା ଋଣ ମଞ୍ଜୁର କରିଥିଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ । ଗ୍ରୁପ୍କୁ ୨ରୁ ୩ ଲକ୍ଷ ଟଙ୍କା ଦେଇ ପ୍ରତି ଜମାଖାତାରୁ ୨ ରୁ ୪ଲକ୍ଷ ଟଙ୍କା ହିସାବରେ ପ୍ରାୟ ଦେଢ଼ କୋଟି ଟଙ୍କା ଲୁଟି ନେଇଛନ୍ତି ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର୍ । ମାଉଳି ମା’ ଗ୍ରୁପ୍ର ସମ୍ପାଦକ ଭାଗ୍ୟଲକ୍ଷ୍ମୀ ୨ଲକ୍ଷ ଟଙ୍କା ଋଣ ପାଇଁ ଆବେଦନ କରିଥଲେ । ହେଲେ ପୂର୍ବରୁ ତାଙ୍କ ଆକାଉଣ୍ଟରେ ୪ଲକ୍ଷ ଉଠିସାରିଥିବା ଜଣାପଡ଼ିଛି । ସେହିପରି ମା’ ଠାକୁରାଣୀ ଗ୍ରୁପ୍ ଲକ୍ଷେ ଟଙ୍କା ଋଣ ପାଇଁ ଆବେଦନ କରିଥିବା ବେଳେ ତାଙ୍କ ଖାତାରୁ ୫ ଲକ୍ଷ ଟଙ୍କା ଉଠାସାରିଥିବା କହିଛନ୍ତି ସଦସ୍ୟା । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ବିରୋଧରେ ଲମ୍ବିଛି ଅଭିଯୋଗ ତାଲିକା ।
ଋଣ ମଞ୍ଜୁର କରିବା ପୂର୍ବରୁ ସମସ୍ତ ଏସ୍ଏଚ୍ଜି ଗ୍ରୁପ୍ର ଜମାଖାତାକୁ ନେଇଥିଲେ ତତ୍କାଳୀନ ପିଏନ୍ବି ମ୍ୟାନେଜର ମୋହନ କୁମାର ବାଙ୍କିଆ। ୬ ମାସ ପରେ ଜମାଖାତା ପାଇଥିଲେ ଗ୍ରୁପ୍ ସଦସ୍ୟା । ହାତକୁ ଜମାଖାତା ଆସିବା ପରେ ସାମ୍ନାକୁ ଆସିଛି ମ୍ୟାନେଜରଙ୍କ କଳା କାରନାମା । ଏହାରି ଭିତରେ ଦୁଇ ଦୁଇ ଥର ବ୍ୟାଙ୍କ ମ୍ୟାନେଜରଙ୍କ ବଦଳି ହୋଇଥିଲେ ବି କୌଣସି ସମାଧାନ ହୋଇ ପାରିନି । ତେଣୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ।