କନକ ବ୍ୟୁରୋ: କୁହାଯାଏ ଦୃଢ ଇଚ୍ଛାଶକ୍ତି ଓ ଅଦମ୍ୟ ସାହାସ ଥିଲେ ନିଶ୍ଚୟ ସଫଳତା ମିଳିଥାଏ । ଯାହା ପ୍ରମାଣିତ କରିଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳର ଜୟ ବାସୁଳିମାତା ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ଜଣ ମହିଳା । ତୈଳ ଜାତୀୟ ମଞ୍ଜିରୁ ମେସିନ ସାହାଯ୍ୟରେ ତେଲ ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି । ମାସକୁ ୬୦ରୁ ୭୦ ହଜାର ଟଙ୍କା ରୋଜଗାର କରି ପାଇଛନ୍ତି ସଫଳତା । ପ୍ରଥମେ ଗାଁର ୧୦ ଜଣ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ୧୦୦ ଟଙ୍କା ଲେଖାଏଁ ବ୍ୟାଙ୍କରେ ସଞ୍ଚୟ କରୁଥିଲେ । 

ସେହି ଅର୍ଥରୁ ଅଧିକ ରୋଜଗାର କରିବା ଆଶାରେ ଏକ ଧୂପ ତିଆରି ମେସିନ ବସାଇ ଧୂପକାଠି ତାଆରି କଲେ । ତେବେ ଧୂପ ସଠିକ ଉପାୟରେ ମାର୍କେଟିଂ ହୋଇ ନପାରିବାରୁ ସେଥିରୁ ବେଶି ଲାଭ ମିଳିନଥିଲା । ପରେ ସେମାନେ ଛତୁ ଚାଷ କରିବା ପାଇଁ ଅଣ୍ଟା ଭିଡିଲେ । ପ୍ରଥମେ ୨୦ଟି ବେଡ ପକାଇ ଛତୁ ଚାଷ କରୁଥିଲେ । ଆଉ କିଛି ମହିଳା ସାମିଲ ହେବା ପରେ ସେମାନେ ୫୦ରୁ ୬୦ ବେଡ୍ ପକାଇ ଚାଷ କଲେ । ଉତ୍ପାଦିତ ଛତୁକୁ ସ୍ଥାନୀୟ ଅଞ୍ଚଳ ସହିତ ବାଲିଆପାଳ, ବସ୍ତା,ବାଲେଶ୍ୱର ପ୍ରଭୃତି ସ୍ଥାନରେ ବ୍ୟବସାୟୀଙ୍କ ମାଧ୍ୟମରେ ବିକ୍ରି କରୁଥିଲେ । ବର୍ତ୍ତମାନ ୩୦ ଜଣ ମହିଳା ସାମିଲ ହୋଇ ମିଶନ ଶକ୍ତି ସହଯୋଗରେ ତେଲ ପେଡା ମେସିନ୍ ବସାଇ ସୋରିଷ, ବାଦାମ, ନଡିଆ ଏବଂ ଜଡା ତେଲ ପ୍ରସ୍ତୁତ କରୁଛନ୍ତି । 

ସେହି ତେଲକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରୀ କରୁଛନ୍ତି । ଯାହା ଫଳରେ ପ୍ରତ୍ୟେକ ମହିଳା ମାସକୁ ୨ ହଜାରରୁ ଅଢେଇ ହଜାର ଟଙ୍କା ରୋଜଗାର କରୁଛନ୍ତି । ଅବସର ସମୟକୁ ଅପବ୍ୟୟ ନକରି ସେହି ସମୟରେ ରୋଜଗାର ହେଉଥିବା ଅର୍ଥକୁ ନିଜ ଖର୍ଚ୍ଚ କରିବା ସହିତ ପରିବାର ଲୋକଙ୍କୁ ଆର୍ଥିକ ସହଯୋଗ କରି ପାରୁଥିବାରୁ ଖୁସି ପ୍ରକାଶ କରିଛନ୍ତି । 
  
ମହିଳା ମାନେ ପ୍ରସ୍ତୁତ କରୁଥିବା ଏହି ତେଲ ଶୁଦ୍ଧ ଏବଂ ଅପମିଶ୍ରଣ ନଥିବାରୁ ଲୋକମାନେ ଏହାକୁ କିଣି ନେଉଛନ୍ତି । ଏକ ଲିଟର ସୋରିଷ ତେଲର ମୁଲ୍ୟ ୩୦୦ ଟଙ୍କା, ବାଦାମ ୩୫୦ ଟଙ୍କା, ନଡିଆ ତେଲ ୫୦୦ ଟଙ୍କା ଏବଂ ଜଡା ତେଲ ୫୦୦ ଟଙ୍କାରେ ବିକ୍ରି କରୁଛନ୍ତି ମହିଳା । ଏକ ଲିଟର ସୋରିଷ ତେଲ ପାଇଁ ୩ କେଜିରୁ ୩ କେଜି ୫ ଶାହ ଗ୍ରାମ ଶୋରିଷ ଆବଶ୍ୟକ ହୋଇଥାଏ । ସେହିପରି ଏକ କେଜି ବାଦାମ ତେଲ ପାଇଁ ୨ରୁ ୩ କେଜି ବାଦାମ । 

ନଡିଆ ତେଲ ପାଇଁ ୩ କେଜି ନଡିଆ ଏବଂ ଜଡା ତେଲ ପଇଁ ୩ କେଜି ଜଡା ଆବଶ୍ୟକ ହୋଇଥାଏ । ଏକ ଲିଟର ସୋରିଷ ତେଲ ପାଇଁ ୨୨୦ ରୁ ୨୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୩୦୦ ଟଙ୍କାରେ ବିକ୍ରୀ ହୋଇଥାଏ । ବାଦାମ ତେଲ ପାଇଁ ୨୫୦ ରୁ ୩୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୩୫୦ ଟଙ୍କାରେ ବିକ୍ରି କରାଯାଉଛି । ନଡିଆ ୪୦୦ରୁ ୪୫୦ ଏବଂ ଜଡା ୩୦୦ରୁ ୩୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଲିଟର ପିଛା ୫୦୦ ଟଙ୍କାରେ ବିକ୍ରି ହୋଇଥାଏ । ସେଥିରୁ ବାହାରୁଥିବା ଖାଦ ବା ପିଡିଆକୁ ମାଛ ଚାଷୀ ଏବଂ ପାନ ଚାଷୀ ୩୦ରୁ ୪୦ ଟଙ୍କା କେଜି ପିଛା କିଣି ନେଇଥାନ୍ତି । 

ବାଲିଆପାଳ ଅଞ୍ଚଳରେ ସୋରିଷ, ନଡିଆ, ବାଦାମ, ଜଡା ପ୍ରଚୁର ପରିମାଣରେ ଚାଷ ହେଉଥିବାରୁ ତେଲ ପ୍ରସ୍ତୁତ ପାଇଁ ଏହି ସବୁ ମଞ୍ଜି ସହଜରେ ମିଳିଥାଏ, ଯାହା ପାଇଁ ସେମାନଙ୍କୁ କଞ୍ଚାମାଲ ପାଇଁ ଅସୁବିଧା ହୋଇନଥାଏ । ଏହି ସବୁ କାମ ପାଇଁ ମହିଳାମାନଙ୍କୁ ଆଉ କିଛି ଆର୍ଥିକ ସହଯୋଗ ଓ ବଜାର ବ୍ୟବସ୍ଥା କରାଗଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ।