କନକ ବ୍ୟୁରୋ : ବାତ୍ୟା ଦାନାର ପ୍ରକୋପକୁ କମ୍ କରିବା ପାଇଁ ଗ୍ରାମବାସୀ କଲେ ପୂଜାର୍ଚ୍ଚନା। ସେପଟେ ସମୁଦ୍ରରେ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି ଭୀଷଣ ବାତ୍ୟା , ଆଜି ରାତିରେ ସ୍ଥଳଭାଗ ଛୁଇଁ ରଚିବ ତାଣ୍ଡବ । ଏଥିରୁ ରକ୍ଷା ପାଇବା ପାଇଁ ଧାମରାସ୍ଥିତ ମା ଧାମରାଇ ମନ୍ଦିରରେ ଆଜି ସକାଳୁ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଯେତେବେଳେ ଗାଁକୁ କିଛି ବିପଦ ଆଶଙ୍କା ଥାଏ ଗ୍ରାମବାସୀ ମାନେ ବିପଦ ଟାଳିବା ପାଇଁ ଗ୍ରାମ ଦେବୀଙ୍କୁ ପୂଜା କରିଥାନ୍ତି । ସେହିପରି ଧମରାରେ ମଧ୍ୟ ନାମ ସଙ୍କୀର୍ତ୍ତନ କରି ପୂଜାରେ ସାମିଲ ହୋଇଛନ୍ତି ଗ୍ରାମବାସୀ ମାନେ । ଅତୀତରେ ଅନେକ ବାତ୍ୟା ହୋଇଥିବାବେଳେ ମା ଧାମରାଇଙ୍କ କୃପାରେ ଧାମରା ଅଞ୍ଚଳର କୌଣସି କ୍ଷତି ହୋଇନଥିବା ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଛି ।