କନକ ବ୍ୟୁରୋ:  ସତରେ ବଡ଼ ନିର୍ଲଜ ପାକିସ୍ତାନ । ଭାରତରେ ବାରମ୍ବାର ଆତଙ୍କୀ ହମଲା କରାଇବା ପରେ ଭାରତ ପଡ଼ୋଶୀ ପାକିସ୍ତାନ ସହ କୌଣସି ସମ୍ପର୍କ ରଖିବାକୁ ଚାହୁନି । ଏମିତିକି ବାଣିଜ୍ୟିକ ଓ କୂଟନୈତିକ ଆଲୋଚନା ଗୋଟିଏ ପ୍ରକାର ଠପ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ । ଖାସ୍‌ କରି ପହଲଗାମ୍‌ରେ ଆତଙ୍କୀ ହମଲା ପରେ ଭାରତ ସିନ୍ଧୁ ଚୁକ୍ତି ରଦ୍ଦ କରିବା ସହିତ ପାକିସ୍ତାନ ଉପରେ ଅନେକ କଟକଣା ଲଗାଇଛି । ସିନ୍ଧୁ ଚୁକ୍ତି ରଦ୍ଦ ହେବା ପରେ ପାଣି ପାଇଁ ହାହାକାର ସ୍ଥିତି ହେଲାଣି ପାକିସ୍ତାନରେ । ତେଣୁ ତୁରନ୍ତ ଭାରତ ସହ ଆଲୋଚନା କରିବା ସହିତ ସିନ୍ଧୁ ନଈର ପାଣି ନେବା ପାଇଁ ପାକିସ୍ତାନ ଚେଷ୍ଟା କରୁଛି । 

Advertisment


ଇରାନ୍‌ ଗସ୍ତରେ ସେହେବାଜ୍‌ କହିଲେ, ଦ୍ବିପାକ୍ଷିକ ଆଲୋଚନା ପାଇଁ ଆମେ ପ୍ରସ୍ତୁତ

ଭାରତ ସହ ପଙ୍ଗା ନେଲେ କଣ କ୍ଷତି ହୁଏ ତାହା ପାକିସ୍ତାନକୁ ଭଲରେ ଜଣା । ଅବଶ୍ୟ ପ୍ରଥମେ ଚୀନ୍‌ ବଳରେ ଶକ୍ତିଶାଳୀ ହେଉଥିଲା ପାକିସ୍ତାନ । ହେଲେ ନିଜ ଦେଶର କ୍ଷତି ହେବା ପରେ ଏବେ ଭାରତ ସହ ଉତ୍ତମ ସମ୍ପର୍କ ରଖିବା ପାଇଁ ଚେଷ୍ଟା ଚଳାଉଛି ପାକିସ୍ତାନ । ନିଜର ଇରାନ୍‌ ଗସ୍ତ ସମୟରେ ସେହେବାଜ୍‌ କହିଛନ୍ତି, ପଡ଼ୋଶୀ ରାଷ୍ଟ୍ର ସହ ଆମେ କଥାବାର୍ତ୍ତା ହେବାକୁ ପ୍ରସ୍ତୁତ ଅଛୁ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ମେ ୨୫ ରୁ ମେ ୩୦ ପର୍ଯ୍ୟନ୍ତ ଚାରୋଟି ଦେଶ ଗସ୍ତରେ ଅଛନ୍ତି ପାକିସ୍ତାନ ପିଏମ୍‌ । ଭାରତ ପାକିସ୍ତାନର ମୁଖା ଖୋଲିବା ପରେ ଅନ୍ତର୍ଜାତୀୟ ସ୍ତରରେ ଘେରାବନ୍ଦୀ ହେଲାଣି ପାକିସ୍ତାନ । ତେଣୁ କେମିତି ନିଜ ଦେଶକୁ ବଞ୍ଚାଇବ ସେନେଇ ଏମିତି ବୟାନ ହେଉଛନ୍ତି ସେହେବାଜ ବୋଲି ଚର୍ଚ୍ଚା ହେଉଛି । 
ଆତଙ୍କୀସ୍ତାନ କହୁଛି ଆତଙ୍କବାଦ ବିଷୟରେ ଆମେ କଥା ହେବୁ ।
 

ଭାରତର ଅପରେସନ୍‌ ସିନ୍ଦୂର ପରେ ପୂରା ବିଶ୍ବ ଦେଖିଲା କେମିତି ଆତଙ୍କୀଙ୍କୁ ପାକିସ୍ତାନ ପାଳୁଛି । ଖାଲି ଏତିକି ନୁହେଁ ବରଂ ଭାରତର ଆକ୍ରମଣରେ ପାକ୍‌ରେ ଥିବା ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଯାଇଛି । ଯେଉଁ ଆତଙ୍କୀ ନିପାତ ହୋଇଥିଲେ ସେମାନଙ୍କ ଶବଯାତ୍ରାରେ ପାକ୍‌ର ଆର୍ମି ଅଫିସର ଉପସ୍ଥିତ ଥିଲେ । ଖାଲି ଏତିକି ନୁହେଁ ବରଂ ଆତଙ୍କୀଙ୍କୁ କ୍ଷତିପୂରଣ ଦେବା ପାଇଁ ପାକ୍‌ ସହାୟତା ରାଶି ବି ଦେଇଛି । ଏସବୁ ଘଟଣାରୁ ସ୍ପଷ୍ଟ ହୋଇଛି କି ଆତଙ୍କବାଦୀଙ୍କୁ କେମିତି ପାଳୁଛି ପାକିସ୍ତାନ । ଏ ସବୁ ପରେ ବି ପାକିସ୍ତାନ ଆତଙ୍କବାଦୀଙ୍କ ସମ୍ପର୍କରେ ଆଲୋଚନା କରିବାକୁ ଇଚ୍ଛା କରୁଥିବା କଥା ହାସ୍ୟାସ୍ପଦ । 

 ମୋଟ୍‌ ଉପରେ ପାକିସ୍ତାନର ଆତଙ୍କବାଦୀଙ୍କୁ ନେଇ ପୂରା ବିଶ୍ବ ନିନ୍ଦା କରୁଥିବା ବେଳେ ଏବେ ପାକିସ୍ତାନ ଯେଉଁପରି ଭାବରେ ଭାରତ ସହ ଆଲୋଚନା କରିବାକୁ ଚାହୁଛି ବୋଲି କହୁଛି ତାହା ପଛରେ ବି କୌଣସି ଉଦ୍ଦେଶ୍ୟ ଥାଇପାରେ ବୋଲି କୁହାଯାଉଛି । ଅବଶ୍ୟ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବୟାନ ଉପରେ ଭାରତ କୌଣସି ପ୍ରତିକ୍ରିୟା ଦେଇନାହିଁ । ତେବେ ଭାରତ ପାକିସ୍ତାନ୍‌ ଉପରେ ପ୍ରତିବନ୍ଧକ ଲଗାଇ ରଖୁଛି କି ଆଲୋଚନା କରୁଛି ତାହା ଦେଖିବାକୁ ବାକି ରହିଲା ।