କନକ ବ୍ୟୁରୋ: ବିଜେପିକୁ ଡେଇଁବେ କି ଶତ୍ରୁଘ୍ନ ସିହ୍ନା? ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିବ କି ବଡ଼ ପରିବର୍ତ୍ତନ? ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନେତାରୁ ରାଜନେତା ବନିଥିବା ଶତ୍ରୁଘ୍ନ ସିହ୍ନା ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପରେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି । ସୋସିଆଲ୍ ମିଡିଆରେ ଶତ୍ରୁଘ୍ନ ସିହ୍ନା ମୋଦୀଙ୍କୁ ବନ୍ଧୁ ବୋଲି ସମ୍ବୋଧିତ କରିବା ସହିତ, ତାଙ୍କୁ ସବୁଦିନର ବନ୍ଧୁ ବୋଲି କହିଛନ୍ତି । ଯାହା ପରେ ଚର୍ଚ୍ଚା ହେଉଛି ଶତ୍ରୁଘ୍ନ ସିହ୍ନା ବୋଧହୁଏ ଖୁବଶୀଘ୍ର ପଦ୍ମ ଧରିପାରନ୍ତି ।
ଆପଣ ଜାଣିଥିବେ ଯେ, ମୋଦୀଙ୍କ କାରଣରୁ ହିଁ ଶତ୍ରୁଘ୍ନ ସିହ୍ନା ୨୦୧୯ରେ ବିଜେପି ସହିତ ତାଙ୍କର ୨୭ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗିଥିଲେ । ଏହା ପୂର୍ବରୁ ସେ କଂଗ୍ରେସ ଦଳରେ କାର୍ଯ୍ୟ କରିଥିଲେ ଆଉ ବର୍ତ୍ତମାନ ସେ ଟିଏମସି ସାଂସଦ। ହେଲେ ଛଅ ବର୍ଷ ପରେ ଶତ୍ରୁଘ୍ନ ସିହ୍ନା ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ବନ୍ଧୁତାକୁ ମନେ ପକାଇବା ପଛର କାରଣ କଣ ତାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଜୋର ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଶତ୍ରୁଘ୍ନ ସିହ୍ନାଙ୍କ ସମ୍ପର୍କ
ଶତ୍ରୁଘ୍ନ ସିହ୍ନା ବିଜେପି ସହିତ ତାଙ୍କ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ଶତ୍ରୁଘ୍ନ ସିହ୍ନା ଏବଂ ମୋଦୀ ଉଭୟଙ୍କୁ ଲାଲକୃଷ୍ଣ ଆଡଭାନୀ ଶିବିରର ନେତା ଭାବରେ ବିବେଚନା କରାଯାଏ। ଏମିତି କି ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। କିନ୍ତୁ ୨୦୧୪ ପାଇଁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚୟନ ହେବା ପରେ ଶତ୍ରୁଘ୍ନ ସିହ୍ନାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କ ଖରାପ ହେବାକୁ ଲାଗିଲା। ଆଉ ତା ପରେ ଶତ୍ରୁଘ୍ନ ସିହ୍ନା ବିଜେପି ସହ ସମ୍ପର୍କ କାଟି ଦେଇଥିଲେ ।
କୁହାଯାଏ ୨୦୧୪ ମସିହାରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର କେନ୍ଦ୍ରରେ ଏକ ବଡ଼ ବିଜୟ ହାସଲ କରିବା ପରେ, ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ଶତ୍ରୁଘ୍ନ ସିହ୍ନା ମନ୍ତ୍ରୀ ହେବାକୁ ଆଶା ରଖିଥିଲେ । ହେଲେ ସେତେବେଳେ କିନ୍ତୁ ତାଙ୍କୁ ମୋଦୀ କ୍ୟାବିନେଟରେ ସାମିଲ କରାଯାଇ ନଥିଲା। ଏହାପରେ ସିହ୍ନା କିଛି ସମୟ ପାଇଁ ନୀରବ ରହିଥିଲେ, କିନ୍ତୁ ବିହାର ନିର୍ବାଚନ ପୂର୍ବରୁ ସେ ସ୍ୱର ଉଠାଇବା ଆରମ୍ଭ କରିଥିଲେ। ୨୦୧୫ରେ ବିହାର ନିର୍ବାଚନରେ ହାରିବା ପରେ ଶତ୍ରୁଘ୍ନ ସିହ୍ନା କହିଥିଲେ ଯେ, ଯଦି ବିଜେପି ବିଜୟକୁ ଅଧିନାୟକଙ୍କ ପାଇଁ ପ୍ରଶଂସା କରାଯାଏ, ତେବେ ଅଧିନାୟକଙ୍କୁ ମଧ୍ୟ ଅଭିଶାପ ଦିଆଯିବା ଉଚିତ। ସେବେଠାରୁ ସେ ଅନେକ ସମୟରେ ମୋଦୀଙ୍କ ନେତୃତ୍ୱକୁ ତାଚ୍ଛଲ୍ୟ କରିଆସିଛନ୍ତି ।
ତେବେ ଏହାପରେ ପରେ ସେ ୨୦୧୯ରେ ସେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ସେ କଂଗ୍ରେସ ପାଇଁ ନିର୍ବାଚନ ଲଢ଼ିଥିଲେ କିନ୍ତୁ ଜିତିପାରିନଥିଲେ। ପରବର୍ତ୍ତୀ ସମୟରେ ୨୦୨୦ରେ ସେ ତାଙ୍କ ପୁଅକୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିଲେ, କିନ୍ତୁ ସେ ମଧ୍ୟ ଜିତିପାରି ନଥିଲେ। ଏହାପରେ ଶତ୍ରୁଘ୍ନ ସିହ୍ନା କଂଗ୍ରେସ ଛାଡି ଟିଏମସିରେ ଯୋଗ ଦେଇଥିଲେ। ଆଉ ଟିଏମସିରୁ ରାଜ୍ୟସଭା ଏବଂ ପରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।