କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲଗାଇବା ନିଷ୍ପତ୍ତିକୁ ନେଇ କଡ଼ା ଟିପ୍ପଣୀ କରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ସେ କହିଛନ୍ତି ଯେ, ଏହା ଅନୁଚିତ, ଏହା ଟ୍ରମ୍ପଙ୍କ ଦୋମୁହାଁ ନୀତିକୁ ଦର୍ଶାଉଥିବା ବେଳେ ଭାରତ-ଆମେରିକା ସମ୍ପର୍କ ପ୍ରତି ଅସମ୍ବେଦନଶୀଳ ବୋଲି କହିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ଆମେରିକା ଭାରତୀୟ ଉତ୍ପାଦ ଉପରେ ୫୦% ଶୁଳ୍କ ଲଗାଇବ, ତେବେ ଭାରତ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରେ ସମାନ ପରିମାଣର ଶୁଳ୍କ ଲଗାଇବା ଉଚିତ୍ ।
ଗୁରୁବାର ଦିନ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଶଶି ଥରୁର କହିଛନ୍ତି, "ଆମେରିକା ଆମକୁ ଧମକ ଦେଇ କିଛି କରିପାରିବ ନାହିଁ । ବର୍ତ୍ତମାନ ଆମେ ଆମେରିକୀୟ ଉତ୍ପାଦ ଉପରେ ହାରାହାରି ୧୭% ଶୁଳ୍କ ଲଗାଉଛୁ । ତେବେ ଆମେ ସେଠାରେ କାହିଁକି ଅଟକିବା ? ଆମେ ମଧ୍ୟ ୫୦% ଶୁଳ୍କ ଲଗାଇବା ଉଚିତ୍ । ଯଦି ଆମେରିକାକୁ ଭାରତ ସହ ସମ୍ପର୍କ ଦରକାର ନାହିଁ, ତେବେ ଭାରତକୁ ମଧ୍ୟ ଆମେରିକାର ଆବଶ୍ୟକତା ନାହିଁ ।"
ସେ ଆହୁରି ମଧ୍ୟ କହିଛନ୍ତି, "ଆମର ଆମେରିକା ସହିତ ୯୦ ବିଲିୟନ ଡଲାରର ବ୍ୟବସାୟ ଅଛି । ଯଦି ପ୍ରତ୍ୟେକ ଜିନିଷ ୫୦% ମହଙ୍ଗା ହୋଇଯିବ, ତେବେ ସେଠାକାର ଗ୍ରାହକମାନେ ଭାରତୀୟ ସାମଗ୍ରୀ କାହିଁକି କିଣିବେ ବୋଲି ଭାବିବେ ?" ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୬ ତାରିଖରେ ଏକ ଆଦେଶକୁ କାର୍ଯ୍ୟକାରୀ କରିବାକୁ ସ୍ୱାକ୍ଷର କରିଛନ୍ତି, ଯାହା ଅଧୀନରେ ଭାରତରୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ଅତିରିକ୍ତ ୨୫% ଶୁଳ୍କ ଲଗାଯାଇଛି । ଭାରତ ଋଷଠାରୁ ତେଲ କିଣୁଥିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଟ୍ରମ୍ପ । ଏହା ପୂର୍ବରୁ ୨୫% ଶୁଳ୍କ ଘୋଷଣା କରାଯାଇଥିଲା। ଏବେ ମୋଟ ଶୁଳ୍କ ୫୦%ରେ ପହଞ୍ଚିଛି ।
ଚୀନକୁ ଛାଡ଼, ଭାରତକୁ ଦଣ୍ଡ କାହିଁକି?
ଶଶି ଥରୁର ଆମେରିକାର ଏହି ନୀତିକୁ "ଦୋମୁହାଁ ମାନଦଣ୍ଡ" ବୋଲି କହିଛନ୍ତି । ସେ କହିଛନ୍ତି ଯେ ଚୀନ୍ ଭାରତଠାରୁ ଅଧିକ ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଋଷଠାରୁ କିଣୁଛି । କିନ୍ତୁ ତାକୁ ୯୦ ଦିନର ଶୁଳ୍କ ଛାଡ଼ ଦିଆଯାଇଛି । ସେ ପ୍ରଶ୍ନ କରିଛନ୍ତି, "ଯଦି ଚୀନକୁ ଆରାମ ଦିଆଯାଇପାରେ, ତେବେ ଭାରତକୁ କାହିଁକି ଟାର୍ଗେଟ କରାଯାଉଛି ? ଏହା ବନ୍ଧୁତା ନୁହେଁ, ଚାପର ରାଜନୀତି ।"