କନକ ବ୍ୟୁରୋ: ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ଖୋଲୁଛି ରସହ୍ୟ । ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର । ମେରୁଦଣ୍ଡରୁ ବାହାରିଲା ୯ଏମଏମ ଗୁଳି। ସବୁ ସ୍ଥିତିକୁ ନଜରରେ ରଖି ହତ୍ୟାକାଣ୍ଡର ଯୋଜନା କରାଯାଇଥିବା କୁହାଯାଉଛି ।
ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ଓ ଦୁର୍ଗାପୂଜାରେ ପୁଲିସ ରୁନ୍ଧି ହୋଇଯାଇଥିଲା । କୁମାର ପୂର୍ଣ୍ଣମୀ ଦିନ ଏସ୍ପି ଡ.ଶରବଣା ବିବେକ ଏମ୍ ଛୁଟିରେ ଯାଇଥିଲେ । ଏପରିକି ବୈଦ୍ୟନାଥପୁର ଥାନା ଆଇଆଇସି ସୁଚିତ୍ରା ପରିଡ଼ା ବି ଛୁଟିରେ ଥିଲେ । ସୁଯୋଗ ଦେଖି ଗୁଳିମାଢ଼ କରିଥିଲେ ଦୁର୍ବୃତ୍ତ । ଗୁଳିମାଡ଼ରେ ଆଇନଜୀବୀ ପୀତବାସଙ୍କ ମୃତ୍ୟୁ ଖବର ସୋମବାର ରାତିରେ ଜଣାପଡ଼ିବା ପରେ ଏସ୍ପି ତୁରନ୍ତ ଛୁଟି ବାତିଲ କରି ଫେରିଛନ୍ତି । ଗତକାଲି ସନ୍ଧ୍ୟାରେ ସେ କାର୍ଯ୍ୟରେ ଯୋଗ ଦେବା ସହ ୬ଟି ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି । ଘଟଣାଦିନ ରାତିରୁ ନେଇ ଗତକାଲି ଭିତରେ ପ୍ରାୟ ୨୦ ଜଣଙ୍କୁ ଉଠାଇ ନେଇ ପଚରା ଉଚରା ଚାଲିଛି । ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୋହନ ମାଝୀ । ଖୁବ୍ ଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ ଓ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ଅନ୍ୟପଟେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାରେ ଆଜି ସାରା ରାଜ୍ୟରେ ଓକିଲଙ୍କ ପ୍ରତିବାଦ । ଆଜି ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ । କୋଟିଏ ଟଙ୍କାର କ୍ଷତିପୂରଣ ରାଶି ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ଆଇନଜୀବୀ । ରାଜ୍ୟ ଆଇନଜୀବୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଅଭିଯୁକ୍ତଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କରିବାକୁ ଦାବି କରିଛନ୍ତି ଆଇନଜୀବୀ ।