କନକ ବ୍ୟୁରୋ : ଦେଶରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପର ଠାରୁ ଭାରତୀୟ ସେୟାର ବଜାର ନିବେଶକଙ୍କ ପାଇଁ କେବଳ କ୍ଷତି ହିଁ କ୍ଷତି ଆଣି ଦେଉଥିଲା । ତା ଭିତରେ ଜମ୍ମୁକାଶ୍ମୀରର ପହଲଗାମ ଠାରେ ଯେଭଳି ଭାବେ ବର୍ବର, ମୂର୍ଖ ଓ ଧର୍ମାନ୍ଧ ମୌଳବାଦୀମାନେ ଆକ୍ରମଣ କରି ୨୫ ଜଣଙ୍କ ଜୀବନ ନେଇଗଲେ ତା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି । ଏହାକୁ ନଜରରେ ରଖି ଭାରତୀୟ ଷ୍ଟକମାର୍କେଟରେ ପତନ ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ବଜାର ଖୋଲୁ ଖୋଲୁ ଏହାର ପ୍ରଭାବ ଅନୁଭୂତ ହୋଇଛି । ନିଫ୍ଟ ୨୪ ହଜାର ତଳକୁ ଖସିଥିବା ବେଳେ ସେନସେକ୍ସ ୯୦୦ ଅଙ୍କ ତଳକୁ ଖସିଛି । ମିଡ୍ ଓ ସ୍ମଲକ୍ୟାପ୍ ନିବେଶକଧାରୀ ସିଧାସଳଖ ୨.୫ ପ୍ରତିଶତ ଅର୍ଥ ହରାଇଛନ୍ତି ।
ଗତକାଲି ଭାରତୀୟ ସମୟ ରାତ୍ରରେ ଆମେରିକା ଷ୍ଟକ୍ ମାର୍କେଟ୍ ବେଶ ଉତ୍ସାହଜନକ ଥିଲା । ହେଲେ ଏହା ଭାରତୀୟ ଷ୍ଟକମାର୍କେଟରେ ଆଜି ପ୍ରତିଫଳିତ ହେଲାନାହିଁ । ଭାରତ ଓ ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଯୁଦ୍ଧ ଆଶଙ୍କାରେ ପ୍ରଭାବିତ ହୋଇଛି ଭାରତୀୟ ସେୟାର ବଜାର । ଉଭୟ ଦେଶର ବାୟୁସେନା ସମରାଭ୍ୟାସରେ ଲାଗିଛନ୍ତି । ଭାରତୀୟ ସ୍ଥଳସେନା ସୀମାରେ ହାଇଆଲର୍ଟ ମୋଡରେ ପାକିସ୍ତାନ ଉପରେ ଛଞ୍ଚାଣ ନଜର ରଖିଛି । ସେପଟେ ଶତ୍ରୁ ହାତରୁ ରକ୍ଷା ପାଇବାକୁ ପାକିସ୍ତାନ ସେନା ବଙ୍କର ଖୋଜିବାରେ ବ୍ୟସ୍ତ ରହିଛି । ଏହାରି ଭିତରେ ସୁଯୋଗ ନେଇ ଉଭୟ ସରକାର ଉଭୟ ଦେଶ ଉପରେ କଟକଣା ଲଗାଇବାରେ ଲାଗିଛନ୍ତି । ସିନ୍ଧୁ ଚୁକ୍ତି ରଦ୍ଦ, ସିମଲା ଚୁକ୍ତି ରଦ୍ଦ, ଦୂତାବାସରୁ କର୍ମଚାରୀ ସଂଖ୍ୟା କମାଇବା, ପାକ୍ ନାଗରିକଙ୍କ ଭିଜା ଉପରେ କଟକଣା ଲଗାଇବା ଭଳି କାର୍ଯ୍ୟାନୁଷ୍ଠାନ ଭାରତ ନେଇଥିବା ବେଳେ ପାକ୍ ସରକାର, ଏୟାରବେସ୍ଉ ପରେ କଟକଣା ଲଗାଇ ଭାରତକୁ ଚ୍ୟାଲେଞ୍ଜ ଦେଇଛି ।
ଅନ୍ୟପଟେ ଏକ ରିପୋର୍ଟ ମୁତାବକ ଭାରତର ୩ ପ୍ରତିଶତ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସେୟାର ମାର୍କେଟରୁ ରୋଜଗାର କରିଥାନ୍ତି । ମାତ୍ର ଏହି ଯୁଦ୍ଧ ଆଶଙ୍କା ସେମାନଙ୍କ ରୋଜଗାର ସ୍ୱପ୍ନକୁ ମଉଳାଇ ଦେଇଛି ।